ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C ରେକର୍ଡ କରାଯାଇଛି । ତଥ୍ୟ ଅନୁଯାୟୀ, ଏହା ଅକ୍ଟୋବରରେ ପୁରୀର ଇତିହାସରେ ଦ୍ୱିତୀୟ ସର୍ବୋଚ୍ଚ ଦିନ ତାପମାତ୍ରା । ୧୮୯୬ ମସିହାରୁ ସଂଗୃହୀତ ପାଣିପାଗ ତଥ୍ୟକୁ ଆଧାର କରି ଏହି ରେକର୍ଡ ସାମ୍ନାକୁ ଆସିଛି ।
ପ୍ରାୟ ୧୩୦ ବର୍ଷର ତଥ୍ୟରେ ଅକ୍ଟୋବର ମାସରେ ଏଭଳି ଉଚ୍ଚ ତାପମାତ୍ରା ପୁରୀରେ ବିରଳ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ୨୦୨୪ ଅକ୍ଟୋବର ୪ ତାରିଖରେ ପୁରୀର ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ୩୬.୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଯାହାକୁ ଏହି ନୂଆ ରେକର୍ଡ ପଛରେ ପକାଇଦେଇଛି । ଅର୍ଥାତ୍, ୨୦୨୪ରେ ରେକର୍ଡ ହୋଇଥିବା ୩୬.୩°C ତୁଳନାରେ ଚଳିତ ଥର ପୁରୀର ତାପମାତ୍ରା ୦.୩°C ଅଧିକ ରହିଛି।
ଅକ୍ଟୋବରରେ ସାଧାରଣତଃ ମୌସୁମୀ ପ୍ରଭାବ କମିବା ସହ ଦିନରେ ତାପମାତ୍ରା ଅଧିକ ଏବଂ ରାତିରେ ତାପମାତ୍ରା ତୁଳନାତ୍ମକ ଭାବେ କମ୍ ରହିପାରେ। କିନ୍ତୁ ପୁରୀ ଭଳି ଉପକୂଳ ଅଞ୍ଚଳରେ ଏଭଳି ସମୟରେ ୩୬ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହେବା ଚର୍ଚ୍ଚାର ବିଷୟ ପାଲଟିଛି।
ଦିନ ତାପମାତ୍ରା ବୃଦ୍ଧି ଯୋଗୁଁ ପୁରୀ ସହରରେ ଦିନବେଳେ ଗରମ ଅନୁଭୂତ ହେଉଛି। ପର୍ଯ୍ୟଟନ ସହର ହୋଇଥିବାରୁ ଦିନ ସମୟରେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ମଧ୍ୟ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।