୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ କରୋନା ଟିକା ପରୀକ୍ଷାକୁ କରାଗଲା ବନ୍ଦ

ଓ୍ବାଶିଂଟନ, ୧୪।୧୦: ପୃଥିବୀରେ କରୋନା ମହାମାରୀର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ କରୋନା ଟିକାର ପରୀକ୍ଷଣକୁ ସୁରକ୍ଷା କାରଣରୁ ବନ୍ଦ କରିଦିଆଯାଇଛି। ଆମେରିକାର ଔଷଧ କମ୍ପାନୀ ଇଲି-ଲିଲି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ପ୍ରତିଷେଧକ ଟିକାର ପରୀକ୍ଷଣକୁ ଅଧାରୁ ବନ୍ଦ କରି ଦିଆଯାଇଛି। କେଉଁ ସୁରକ୍ଷା କାରଣରୁ ଏହାକୁ ବନ୍ଦ କରାଯାଇଚି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ମଙ୍ଗଳବାର ଜନସନ୍‌ ଆଣ୍ଡ୍‌ ଜନସନ୍‌ର କରୋନା ଟିକାର ପରୀକ୍ଷଣକୁ ବନ୍ଦ କରାଯିବାର ୨୪ ଘଣ୍ଟା ପରେ ଇଲି-ଲିଲିର ଟିକା ପରୀକ୍ଷା ଉପରେ ରୋକ ଲଗାଯାଇଛି। ରିଜେନେରୋନ ଫାର୍ମସ୍ୟୁଟିକାଲ ଇଣ୍ଟରନ୍ୟାଶନାଲ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକା ରିଜେନେରୋନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କଠାରେ ପ୍ରୟୋଗ କରାଯାଇଥିଲା। ରିଜେନେରୋନ ଭଳି ଟିକା ଇଲି-ଲିଲି ପକ୍ଷରୁ ଆଣ୍ଟିବଡ଼ି ଥେରାପି ଅନ୍ତର୍ଗତ ପ୍ରସ୍ତୁତ କରାଯାଇଥିଲା। କମ୍ପାନୀର ପରୀକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଇଥିଲା। କମ୍ପାନୀ ପକ୍ଷରୁ ଏଲ୍‌ଓ୍ବାଇ-କୋଭ୍‌-୫୫୫ର ପରୀକ୍ଷା ଲାଗି ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେଶନଠାରୁ ଅନୁମତି ଲୋଡ଼ା ଯାଇଥିଲା। ଏହାକୁ ଜରୁରୀକାଳୀନ ସ୍ଥିତିରେ ଗୁରୁତର ଆକ୍ରାନ୍ତଙ୍କଠାରେ ପ୍ରୟୋଗ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ତେବେ ଏବେ ଏହାର ପରୀକ୍ଷଣକୁ କମ୍ପାନୀ ବନ୍ଦ କରିଦେଇଛି।

Share