ଭ୍ୟୁ ଟାୱାର, ଓଟିଡିସି ସଭାଗୃହରେ ପଶିଲା ସମୁଦ୍ର ପାଣି

ଏରସମା,୧୫ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ତଥା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳିଠାରେ ସମୁଦ୍ର ଜଳ ପତନ ଆଶାତୀତ ବୃଦ୍ଧି ପାଇଛି। ପୂର୍ଣ୍ଣମି ତିଥିର ପ୍ରଭାବରେ ସମୁଦ୍ର ଜୁଆର ଫୁଲି ଉଠି ଭ୍ୟୁ ଟାୱାର ପର୍ଯ୍ୟନ୍ତ ମାଡି ଆସିଛି। ଏଥିସହ ଲୁଣା ଜୁଆର ଭ୍ୟୁ ଟାୱାର ଉତ୍ତର ପଟେ ଥିବା ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ଅତିକ୍ରମ କରି ରାମତରା ଓ ଶିଆଳି ଗ୍ରାମ ଦେଇ ପ୍ରବାହିତ ହେଉଥିବା ନଦୀ ସହ ମିଶିଯାଇଛି। ଏପରିକି ବେଳାଭୂମିସ୍ଥିତ ଝାଉଁ ଜଙ୍ଗଲ ପୂର୍ବରୁ ଓଡ଼ିଶା ଟ୍ୟୁରିଜମ ଡେଭଲପମେଣ୍ଟ କର୍ପୋରେଶନ (ଓଟିଡିସି) ପକ୍ଷରୁ ନିର୍ମାଣ କରାଯାଇଥିବା ବୃହତ୍‌ ସଭାଗୃହକୁ ମଧ୍ୟ ସମୁଦ୍ର ଜୁଆର ଅତିକ୍ରମ କରିଛି। ଫଳରେ ସମୁଦ୍ର ଦର୍ଶନ ପାଇଁ ନିର୍ମାଣ କରାଯାଇଥିବା ସୁଦୃଶ୍ୟ ଭ୍ୟୁ ଟାୱାର ଓ ଓଟିଡିସି ସଭାଗୃହ ଅସୁରକ୍ଷିତ ହୋଇପଡିଛି। ଲଘୁଚାପ ନ ହୋଇ ମଧ୍ୟ କେବଳ ପୂର୍ଣ୍ଣିମା ପ୍ରଭାବରେ ସମୁଦ୍ର ଜୁଆର ଭୟଙ୍କର ରୂପ ଧାରଣ କରିଥିବାରୁ ସ୍ଥାନୀୟ ଶିଆଳି ଓ ରାମତରା ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।
ସୂଚନା ଯୋଗ୍ୟ, ଗତ ୨୦୧୨ମସିହାରୁ ଶିଆଳି ସମୁଦ୍ର ବେଳାଭୂମି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ଏହାର ଗୋଟିଏ ପଟରେ ବଙ୍ଗୋପସାଗର ଓ ଅପରପାର୍ଶ୍ୱରେ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲର ସବୁଜିମା ରହିଛି। ଏହି ଜଙ୍ଗଲରେ ହରିଣ, ଠେକୁଆ ପ୍ରଭୃତି ପ୍ରାଣୀ ବାସ କରୁଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ସମୁଦ୍ର ଦର୍ଶନ କରିବାକୁ ନିର୍ମାଣ କରାଯାଇଛି ଭ୍ୟୁ ଟାୱାର। ବେଳାଭୂମିର ବାଲୁକାରାଶିରେ ନାଲି କଙ୍କଡା ମଧ୍ୟ ଦେଖିବାକୁ ମିଳିଥାନ୍ତି। ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଶିଆଳିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଛୁଟି ଆସିଥାନ୍ତି। ମାତ୍ର ପରିତାପର ବିଷୟ,ଏଠାରେ ଲୁଣା ଜୁଆର ପ୍ରଭାବରୁ ପର୍ଯ୍ୟଟନ କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରିନାହିଁ। ଝାଉଁ ବହ୍ଲା ଓ ବାଲିବସ୍ତାରେ ପ୍ରତିବର୍ଷ କାମ ଚଳାଇ ଦିଆଯାଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣାରେ ଦାବି ହେଉଛି ।