ପିହୁଙ୍କୁ ଖୋଜିଦେଲେ ୨୦ ହଜାର: ପୁରସ୍କାର ପୋଷ୍ଟର ମାରିଲା ପୋଲିସ

ଯାଜପୁର ଅଫିସ/ବିଞ୍ଝାରପୁର,୧୫।୨(ଡି.ଏନ.ଏ.): ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ଯାଜପୁର ଜିଲା ବିଞ୍ଝାରପୁର ଥାନା ପୋଲିସ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି। ପିହୁ କେଉଁଠି ସେନେଇ ପୋଲିସକୁ ଖବର ଦେଲେ ସୂଚନାଦାତାଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏନେଇ ପୋଲିସ ପକ୍ଷରୁ ବିଞ୍ଝାରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଛି। ସୂଚନା ଦେବା ପାଇଁ ୨ଟି ଫୋନ ନମ୍ବର ୮୭୬୩୧୩୭୭୨୬ ଓ ୯୪୩୭୩୭୩୭୩୭ ଉକ୍ତ ପୋଷ୍ଟରରେ ଦର୍ଶାଯାଇଛି। ପୂର୍ବରୁ ପିହୁଙ୍କୁ ଖୋଜିବାକୁ ୫ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି। ଏହାସହ ପୋଲିସ ରବିବାର ପୂର୍ବାହ୍ନରେ ପିହୁଙ୍କ ସନ୍ଧାନ ପାଇଁ ତାଙ୍କ ଘର ନିକଟ ଏକ ପୋଖରୀକୁ ଶୁଖାଇଥିଲା।

ସୂଚନା ଅନୁସାରେ ପିହୁଙ୍କ ମା’ ମୋନାଲିସା ନାୟକଙ୍କ ଶାଶୁଘର ଭଦ୍ରକ ଜିଲା ନାୟକାଣିଡିହୀ ଥାନା ଅଞ୍ଚଳରେ। କୌଣସି କାରଣରୁ ସେ ଦେଢ଼ବର୍ଷ ହେବ ବାପଘର ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମରେ ରହୁଥିଲେ। ଗତବର୍ଷ ଅଗଷ୍ଟ ୯ରେ ୨ ବର୍ଷର ଝିଅ ପିହୁ ତା’ର ସାଙ୍ଗ ସହିତ ଗଁାଦାଣ୍ଡରେ ଖେଳୁଥିବାର ତାଙ୍କ ସମ୍ପର୍କୀୟ ଅଜା ଦେଖିଥଲେ। ସେତେବେଳେ ଅପରାହ୍ନ ୩ଟା ହୋଇଥିଲା। କିଛି ସମୟ ପରେ ମୋନାଲିସା ପିହୁଙ୍କୁ ଖୁଆଇବା ପାଇଁ ଖୋଜିବାରୁ ଝିଅ ସେଠାରେ ନ ଥିଲେ। ବହୁତ ଖୋଜାଖୋଜି କଲାପରେ ପିହୁଙ୍କ ପତ୍ତା ମିଳି ନ ଥିଲା। ବିଭିନ୍ନ ଗାଡ଼ିଆ, ପୋଖରୀ ଓ ଜଳାଶୟ ଖୋଜିଥିଲେ। ଶେଷରେ ନିରାଶ ହୋଇ ବିଞ୍ଝାରପୁର ଥାନାରେ ୧୪ା୮ା୨୦୨୦ରେ ଅଭିଯୋଗ କରିଥିଲେ। ଥାନାଧିକାରୀ ନିରଞ୍ଜନ ଶବର ଗ୍ରାମକୁ ଆସି ଆଖପାଖ ଲୋକଙ୍କୁ ପଚରାଉଚୁରା କରିଥିଲେ। ଇତିମଧ୍ୟରେ ପ୍ରାୟ ୬ମାସ ଅତିକ୍ରାନ୍ତ ହୋଇଥିବାବେଳେ ପିହୁଙ୍କ ଖୋଜ ଖବର ମିଳିନାହିଁ। ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ପିହୁଙ୍କୁ ଖୋଜିବା ପାଇଁ ଜୋରଦାର ଦାବି ହୋଇଆସୁଛି। ଯାଜପୁର ଏସ୍‌ପି ରାହୁଲ ପି.ଆର. ମଧ୍ୟ ବିଞ୍ଝାରପୁର ଗସ୍ତ କରି ତଦନ୍ତର ସମୀକ୍ଷା କରିଛନ୍ତି।