ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ ଜଙ୍ଗଲିଆ ସାନ୍ତାଳୀ ଗାଁରେ ପ୍ରବେଶ କରିଛି। ଫଳରେ ନାଂଜୁରା ପଞ୍ଚାୟତ ଅଧୀନ ଲୁଣା ଓ ହେନ୍ତାଳ ଜଙ୍ଗଲ ଘେରା ପାଣିଖିଆ ଗାଁର ଅନେକ ଘରେ ଆଣ୍ଠୁଏ ପାଣି ପଶିଯାଇଥିବା ଗ୍ରାମବାସୀ କହିଛନ୍ତି।
ବିଳମ୍ବିତ ରାତିରେ ଗାଁ ପାର୍ଶ୍ୱ ଜଙ୍ଗଲ ନାଳରୁ ସାମୁଦ୍ରିକ ଜୁଆର ମାଡ଼ି ଆସିବା ସହ ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଜୁଆର ପାଣି ଗାଁ ଭିତରକୁ ପଶିବା ପରେ କିଛି ସମୟ ମଧ୍ୟରେ ଅନେକ ଘରେ ଆଣ୍ଠୁଏ ପାଣି ଜମି ଯାଇଥିଲା। ପରିସ୍ଥିତି ଭୟାବହ ହେବାରୁ କେତେକ ପରିବାରର ଶିଶୁ, ମହିଳା ଓ ବୃଦ୍ଧାବୃଦ୍ଧ ଘର ଛାଡ଼ି ଉଚ୍ଚସ୍ଥାନକୁ ଚାଲିଯାଇଥିବା ଦେଖାଯାଇଛି।
ସୂଚନା ଅନୁସାରେ, ପ୍ରାୟ ୨୦ ଜଣ ଶିଶୁ ଓ ମହିଳା ଘର ଛାଡ଼ି ମୁଖ୍ୟବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ଅନେକ ପରିବାର ଭୋକ ଉପାସରେ ରହିଛନ୍ତି।
ପାଣିଖିଆ ଗାଁରେ ୫୦ରୁ ଅଧିକ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରୁଥିବା କୁହାଯାଇଛି। ଜନଜାତି ଅଧ୍ୟୁଷିତ ଏହି ଗାଁରେ ଏବେବି ଅନେକ ମୌଳିକ ସୁବିଧାର ଅଭାବ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସ୍ବାଧୀନତା ପରେ ମଧ୍ୟ ଗାଁକୁ ଭଲ ରାସ୍ତା ର୍ନିମାଣ ହୋଇନାହିଁ। ବର୍ଷା ଦିନରେ ଗାଁ ଜଳବନ୍ଦୀ ହୋଇ ରହୁଥିବାରୁ ଲୋକଙ୍କ ଜୀବନଯାପନ ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ୁଛି।
ଗ୍ରାମର ସୁନାରାମ ମାରାଣ୍ଡି, ଗୁରୁଭା ହାଁସଦା, ଲବ ମାରାଣ୍ଡି, କୁଶ ମାରାଣ୍ଡି, ଗଜେନ୍ଦ୍ର ମାରାଣ୍ଡି, ରମେଶ୍ୱର ମାରାଣ୍ଡି, ପୂର୍ଣ୍ଣଚନ୍ଦ୍ର ଟୁଡୁ, ଚରଣ ଟୁଡୁଙ୍କ ସମେତ ଅନ୍ୟ ଗ୍ରାମବାସୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଦେଶ ସ୍ବାଧୀନ ହୋଇଥିଲେ ମଧ୍ୟ ସେମାନେ ଏବେବି ଅବହେଳିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଗାଁର ସମସ୍ୟା ସମ୍ପର୍କରେ ଅବଗତ କରାଇବେ ବୋଲି ଗ୍ରାମବାସୀ କହିଛନ୍ତି।
ଏଭଳି ପରିସ୍ଥିତିରେ ପାଣିଖିଆ ଗାଁ ପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ସହାୟତା, ଖାଦ୍ୟ ଓ ସୁରକ୍ଷିତ ଆଶ୍ରୟର ବ୍ୟବସ୍ଥା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ରଘୁରାମ ଆର୍. ଆୟାରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର ମତାମତ ମିଳିପାରିନାହିଁ।