୧ଲକ୍ଷ ୩୫ ହଜାରରେ ବିକ୍ରିହେଲା ସାମୁଦ୍ରିକ କଉ

ଭୋଗରାଇ,୧୪ା୧୦(ପ୍ରଦୀପ ଦାସ): ୧୧ଦିନ ବ୍ୟବଧାନ ପରେ ପୁଣି ଏକ ବିଶାଳକାୟ ସାମୁଦ୍ରିକ କଉ ମାଛ ଗଭୀର ସମୁଦ୍ରରୁ ଧରାଯାଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମତ୍ସ୍ୟ ଅବତରଣ କେନ୍ଦ୍ରର ଟ୍ରଲର ମାଲିକ ସାବାଦ ଅଲ୍ଲୀଖାଁଙ୍କ ଟ୍ରଲରରେ ମତ୍ସଜୀବୀମାନେ ଏହି ବିରଳ ପ୍ରଜାତିର ମାଛକୁ ଧରି ଦୀଘା ମୁହାଣ ମାଛ ମାର୍କେଟକୁ ଶୁକ୍ରବାର ବିକ୍ରି କରିବାକୁ ଆଣିଥିଲେ। ଏହି ମାଛର ଓଜନ ୨କୁଇଣ୍ଟାଲ ହୋଇଥିବାବେଳେ ବାଂଲାଦେଶର ଡଲଫିନ କମ୍ପାନୀ ୧ଲକ୍ଷ ୩୫ହଜାର ଟଙ୍କାରେ ଏହି ମାଛକୁ କିଣି ନେଇଛି। ବିଦେଶରେ ଏହାର ଦାମ୍‌ ଅଧିକ। ମାଛ ଶରୀର ବ୍ଲାଡାରରୁ ଔଷଧ ଓ ମଣିଷ ଅପରେଶନ ବେଳେ ଏକ ମୂଲ୍ୟବାନ ସୂତା ବ୍ୟବହାର ହୁଏ ବୋଲି କୁହାଯାଉଛି। ଚଳିତ ଋତୁରେ ୪ଟି ଏହି ପ୍ରଜାତିର ସାମୁଦ୍ରିକ କଉ ବଙ୍ଗୋପସାଗରରେ ଧରାଯାଇ ଦୀଘା ମାଛ ମାର୍କେଟରେ ନିଲାମ କରାଯାଇଥିଲା। ସବୁଠୁ ବଡ଼ ୨ କୁଇଣ୍ଟାଲ ମାଛ ଶୁକ୍ରବାର ନିଲାମ କରାଯାଇଥିବା ଦୀଘା ଫିଶରମ୍ୟାନ ଆଣ୍ଡ ଫିଶର ଅର୍ଗାନାଇଜେଶନ ପକ୍ଷରୁ ସୂଚନା ଦିଆଯାଇଛି।