ସ୍କ୍ରବ୍‌ ଅଣାୟତ୍ତ: ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍‌

ସୁନ୍ଦରଗଡ଼,୧।୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ଼ରେ ଅଣାୟତ୍ତ ହେଉଛି ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମଣ। ଗତ୨୪ଘଣ୍ଟାରେ ୩ ନୂଆ ସଂକ୍ରମିତ ଚିହ୍ନଟ ପରେ ଏବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୨୯୫ରେ ପହଞ୍ଚିଛି। ଶୁକ୍ରବାର ଜିଲାରେ ୬ ଜଣିଆ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଟିମ୍‌ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କାହ୍ନୁଚରଣ ନାୟକଙ୍କ ସହ ସ୍କ୍ରବ୍‌ ଟାଇଫସ୍‌ ଉପରେ ଆଲୋଚନା କରିଥିଲେ। ନିଆଯାଉଥିବା ପଦକ୍ଷେପ ଓ ଏହାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ଏହି ଟିମ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ସଦର ବ୍ଲକର ମଝାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏଠାରେ ଥିବା ପରୀକ୍ଷଣ କେନ୍ଦ୍ର ତଥା କୁଣ୍ଡୁକେଲା ଗ୍ରାମ ଓ ସୁନ୍ଦରଗଡ ମହେଶଡ଼ିହୀ ସ୍ଥିତ ଅର୍ବାନ ହେଲଥ ସେଣ୍ଟର ପରିଦର୍ଶନ କରିଥିଲେ। ଏହି ଟିମ୍‌ରେ କେନ୍ଦ୍ରର ଡା. ସମୀର ଗୁଲାଟି, ଡା. ଧରା ବି ଶାହ, ଡା. ଆରୁଷି ଘାଇ, ଡା. ତୁଷାର ନାଲେ ଥିବାବେଳେ ରାଜ୍ୟର ଡା. ସୁରଜିତ ଗରାବଡୁ ଓ ରାଜ୍ୟ ଟାଟା ମ୍ୟାନେଜର ଶୁଭାଶିଷ ଜେନା ସାମିଲ ହୋଇଥିଲେ। ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନାୟକଙ୍କ କହିବା ଅନୁଯାୟୀ, ଟିଗର ନାମକ ଏକ ବିଷାକ୍ତ କୀଟ କାମୁଡିବା ଦ୍ବାରା ଏହି ରୋଗ ହୋଇଥାଏ। ଏହି କୀଟ କାମୁଡିବା ଦ୍ବାରା ଶରୀରରେ ଘା’ ଲକ୍ଷଣ ଦେଖାଯାଇଥାଏ। ପରେ ଘା’ ର ଚାରିପାଖ ନାଲି ପଡିଯାଏ ଓ ଧୀରେଧୀରେ ମଝି ଅଂଶ କଳା ପଡିଯାଏ। ଏଥିରେ ଆକ୍ରାନ୍ତ ରୋଗୀଙ୍କ ଶରୀର ଘୋଳାବିନ୍ଧା ସହ ଜ୍ବର ହୋଇଥାଏ। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ବୁଦାଳିଆ ସ୍ଥାନ ଓ ଚାଷ ଜମିକୁ ଯିବା ବେଳେ ଶରୀରରକୁ ସମ୍ପୂର୍ଣ୍ଣ ଘୋଡାଇ ହୋଇ ଯିବାକୁ ଲୋକଙ୍କୁ ସଚେତନ କରାଯାଉଛି।ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।