ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର ଅନ୍ତ ଘଟିଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ଭାଜପା ନେତା ସମ୍ରାଟ ଚୌଧୁରୀଙ୍କୁ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବା ପରେ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତି ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ପୁରୁଣା ବୟାନ ଏବେ ପୁଣି ଚର୍ଚ୍ଚାକୁ ଆସିଛି, ଯାହାକୁ ଏବେ ଏକ ’ରାଜନୈତିକ ଭବିଷ୍ୟବାଣୀ’ ଭାବେ ଦେଖାଯାଉଛି।
୨୦୨୫ ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ (୩୦ ଅକ୍ଟୋବର ୨୦୨୫) ତାରାପୁରଠାରେ ଆୟୋଜିତ ଏକ ସଭାରେ ଶାହା ସମ୍ରାଟ ଚୌଧୁରୀଙ୍କୁ ନେଇ ଏକ ବଡ଼ ସଙ୍କେତ ଦେଇଥିଲେ। ସେ ଜନସାଧାରଣଙ୍କୁ ନିବେଦନ କରି କହିଥିଲେ ଯେ, “ଆପଣ ସମ୍ରାଟଙ୍କୁ ଭୋଟ ଦିଅନ୍ତୁ, କାରଣ ଆଗାମୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜଣେ ‘ବହୁତ ବଡ଼ ମଣିଷ’ କରିବାକୁ ଯାଉଛନ୍ତି।”
କେବଳ ଏତିକି ନୁହେଁ, ଶାହା ଏହା ମଧ୍ୟ କହିଥିଲେ ଯେ ଜେଡିୟୁ ବିଧାୟକ ରାଜୀବ ସିଂହଙ୍କୁ ସମ୍ରାଟଙ୍କ ପାଇଁ ନିଜ ସିଟ୍ ଛାଡ଼ିବାକୁ ପ୍ରସ୍ତୁତ କରାଯାଇଥିଲା। ସେ ସମୟରେ ଶାହାଙ୍କ ଏହି ମନ୍ତବ୍ୟକୁ ଅନେକ ରାଜନୈତିକ ବିଶେଷଜ୍ଞ ନୀତିଶ କୁମାରଙ୍କ ଭବିଷ୍ୟତ ସହ ଯୋଡ଼ି ଦେଖୁଥିଲେ।
ଶାହାଙ୍କ ସେହି ବୟାନର ଠିକ ୫ ମାସ ପରେ ଆଜି ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହା ପ୍ରମାଣିତ କରୁଛି ଯେ ଭାଜପାର ଏହି ରଣନୀତି ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥିଲା।
କିଏ ଏହି ସମ୍ରାଟ ଚୌଧୁରୀ?
-ସମ୍ରାଟ ପୂର୍ବରୁ ବିହାର ଭାଜପାର ପ୍ରଦେଶ ସଭାପତି ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।
– ସେ ତାରାପୁର ବିଧାନସଭା କ୍ଷେତ୍ରରୁ ବିଧାୟକ ଅଛନ୍ତି ଏବଂ ସେଠାରେ ହିଁ ତାଙ୍କର ଜନ୍ମ।
– ଗତ କିଛି ବର୍ଷ ମଧ୍ୟରେ ସେ ଦଳ ମଧ୍ୟରେ ନିଜର ସାଂଗଠନିକ ଦକ୍ଷତା ପ୍ରମାଣିତ କରି ବେଶ ଶକ୍ତିଶାଳୀ ନେତା ଭାବେ ଉଭା ହୋଇଛନ୍ତି।
ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ବିହାରରେ ଜାତିଗତ ସମୀକରଣ ଏବଂ ସାଂଗଠନିକ ମଜଭୁତି ପାଇଁ ଭାଜପା ସମ୍ରାଟଙ୍କୁ ଆଗକୁ ଆଣିଛି। ଏହି ନେତୃତ୍ୱ ପରିବର୍ତ୍ତନ କୌଣସି ଆକସ୍ମିକ ଘଟଣା ନୁହେଁ, ବରଂ ଅମିତ ଶାହା ଏବଂ ମୋଦିଙ୍କ ଦୂରଦର୍ଶୀ ରଣନୀତିର ଏକ ଅଂଶ।
Dharitri – Odisha’s No.1 Odia Daily