ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବ୍ରହ୍ମପୁର ଗୋଲାପଲ୍ଲୀ ସାହିର ହରିଶ୍ ଚନ୍ଦ୍ର ଦାସ(୬୨)। ମୃତକଙ୍କ ପୁଅ ଆକାଶ ଦାସ କେ.ନୂଆଗାଁ ଥାନାରେ ଏତଲା ଦେବାପରେ ଆଇଆଇସି ବିଶ୍ୱଜିତ ନାୟକ ମାମଲା ନଂ.୧୨୨/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ ।
ତଦନ୍ତକାରୀ ଅଧିକାରୀ ଏସ ଆଇ ଅତିଥି ଚରଣ ନାୟକ ବୁଧବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ସେଠାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ମଙ୍ଗଳବାର ବମୋକେଇ ଗ୍ରାମ ସ୍ଥିତ ଏକ ମଠରେ କାମ କରୁଥିବା ହରିଶ୍ ଏବଂ ବମୋକେଇ ଗ୍ରାମର ଆନନ୍ଦ ପଣ୍ଡା ସ୍କୁଟି (ନଂ. ଓଡ଼ି୦୭ ଟି -୮୩୧୮) ଯୋଗେ ଚାନ୍ଦପୁର ଗ୍ରାମ ଛକରୁ କିଛି ଖାଦ୍ୟ ସାମଗ୍ରୀ ଧରି ବମୋକେଇ ଗ୍ରାମକୁ ଫେରୁଥିବାବେଳେ । ଅପରାହ୍ନ ପ୍ରାୟ ୨ ଟାରେ କୁକୁଟବନ୍ଧ ଛକରେ ନିୟନ୍ତ୍ରଣ ହରାଇ ସ୍କୁଟିଟି ରାସ୍ତାକଡର ଗଛକୁ ଧକ୍କା ଦେଇଥିଲା।
ସ୍କୁଟିରେ ବସିଥିବା ଉଭୟେ ରାସ୍ତା ଉପରେ କଚାଡି ହୋଇ ପଡ଼ିଯାଇଥଲେ । ଉଭୟ ଆହାତଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହରିଶଙ୍କ ମୃତ୍ୟୁ ଘଟିଥିଲା। ଆହାତ ଆନନ୍ଦଙ୍କୁ ସେଠାରେ ଚିକିତ୍ସା କରାଯାଉଛି । ତଦନ୍ତକାରୀ ଅଧିକାରୀ ଦୁର୍ଘଟଣାଗସ୍ତ ସ୍କୁଟିକୁ ଜବତ କରିଛନ୍ତି।