ସ୍କୁଟିକୁ ୨୬ ହଜାର ଜରିମାନା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ) :ଭୁବନେଶ୍ୱରରେ ଜଣେ ନାବାଳକ ସ୍କୁଟି ଚଲାଇବା ଓ ହେଲ୍‌ମେଟ ନ ପିନ୍ଧିବା ମହଙ୍ଗା ପଡିଛି। ନୂଆ ଟ୍ରାଫିକ ନିୟମ ଅନୁସାରେ ଓଆର୍‌୦୨ଏଜି୦୧୮୩ ନମ୍ବର ବିଶିଷ୍ଟ ସ୍କୁଟି ଉପରେ ୨୬ ହଜାର ଟଙ୍କାର ଜରିମାନା କରିଛି କମିଶନରେଟ ପୋଲିସ। ବୁଧବାର ସକାଳେ ନାବାଳକ ଜଣକ ହେଲ୍‌ମେଟ ନ ପିନ୍ଧି ସ୍କୁଟି ଧରି ଖଣ୍ଡଗିରି ଆଡକୁ ଯାଉଥିଲେ। ତାଙ୍କ ପଛରେ ବସିଥିବା ବ୍ୟକ୍ତି ଜଣକ ମଧ୍ୟ ହେଲ୍‌ମେଟ ପିନ୍ଧି ନ ଥିଲେ। ଖଣ୍ଡଗିରି ଛକ ନିକଟରେ ଗାଡ଼ି ଯାଞ୍ଚ ଚାଲିଥିବାବେଳେ ଉଭୟେ ବିନା ହେଲ୍‌ମେଟରେ ଥିବା ଦେଖି ପୋଲିସ ଧରିଥିଲା। ପରେ କାଗଜପତ୍ର ଯାଞ୍ଚ କରିବାରୁ ଗାଡ଼ି ଚାଳକ ନାବାଳକ ବୋଲି ଜଣାପଡିଥିଲା। ନାବାଳକ ଗାଡ଼ି ଚଳାଉଥିବାରୁ ୨୫ ହଜାର ଟଙ୍କା ଓ ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ୧ହଜାର ଟଙ୍କାର ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି। ନୂଆ ଟ୍ରାଫିକ ନିୟମ ଅନୁସାରେ, ଉକ୍ତ ୨୫ ହଜାର ଟଙ୍କା ନ ଦେଲେ ଗାଡ଼ି ମାଲିକଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ।