ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ ହେଲେ ମାଥିଲି ଥାନା ଅଧୀନ ସାଲିମି ପଞ୍ଚାୟତ ନୁଆଗୁଡା ଗ୍ରାମର ହନୁରାମ ନାୟକ । ସେ ମେକ୍କା ପଞ୍ଚାୟତର ବିଜାପଦର ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ଜନଗଣନା କାର୍ଯ୍ୟର ବିଏଲ୍ଓ ଭାବେ ମଧ୍ୟ ନିୟୋଜିତ ଥିଲେ।
ହନୁରାମ ନିଜ କାର୍ଯ୍ୟକ୍ଷେତ୍ର ବିଜାପଦର ଗ୍ରାମକୁ ଏକ ସ୍କୁଟି ଯୋଗେ ଯାଉଥିବା ସମୟରେ କିଆଙ୍ଗ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଖାଲି ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ। ତେବେ ସଙ୍ଗେ ସଙ୍ଗେ ଉକ୍ତ ଆମ୍ବୁଲାନ୍ସରେ ହନୁରାମଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏହାର ତଦନ୍ତ ଆରମ୍ଭ କରିଛି। ତେବେ ଆମ୍ବୁଲାନ୍ସ କିଆଙ୍ଗ ଗ୍ରାମର ଏକ ସାପ କାମୁଡା ରୋଗୀଙ୍କୁ ଆଣିବା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।