କୃତ୍ରିମ ଚନ୍ଦ୍ର ମାଟିରେ ଆଳୁ ଚାଷ କଲେ ବୈଜ୍ଞାନିକ

ୱାଶିଂଟନ, ୨୧ା୧୧: କୃତ୍ରିମ ଚନ୍ଦ୍ର ମାଟିରେ ପୁଷ୍ଟିକର ଏବଂ ଖାଇବା ଉପଯୋଗୀ ଆଳୁ ଚାଷ କରିବାରେ ବୈଜ୍ଞାନିକମାନେ ସଫଳତା ହାସଲ କରିଛନ୍ତି। ନାସା ସହାୟତାରେ ଓରେଗନ୍‌ ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷକମାନେ ‘ମୋଡୋକ୍‌’ କିସମର ଆଳୁକୁ ନେଇ ଏହି ପରୀକ୍ଷଣ କରିଥିଲେ। ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ସ୍ଥାୟୀ ବସତି କରି ରହିବାକୁ ଥିବା ମହାକାଶଚାରୀଙ୍କ ପାଇଁ ସେଠାରେ ସ୍ଥାନୀୟ ଭାବେ ଖାଦ୍ୟ ଉତ୍ପାଦନ କରିବା ଏହି ଗବେଷଣାର ମୁଖ୍ୟ ଲକ୍ଷ୍ୟ। ଗୁରୁବାର ‘ଏନ୍‌ପିଜେ ମାଇକ୍ରୋଗ୍ରାଭିଟି’ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନର ନେତୃତ୍ୱ ନେଇଥିବା ଓରେଗନ୍‌ ଷ୍ଟେଟ୍‌ ୟୁନିଭର୍ସିଟିର ଉଦ୍ଭିଦ ଜୀବବିଜ୍ଞାନୀ ଆଇମେରିକ ଗୋୟର କହିଛନ୍ତି, ଅନ୍ୟ ଫସଲ ତୁଳନାରେ ଆଳୁ କମ୍‌ ଜମିରେ ଅଧିକ କ୍ୟାଲୋରୀ ପ୍ରଦାନ କରିଥାଏ।
ମାଟି ବା ‘ଲୁନାର ରେଗୋଲିଥ’ରେ କୌଣସି ଜୈବିକ ପଦାର୍ଥ କିମ୍ବା ନାଇଟ୍ରୋଜେନ ନଥାଏ, ଫଳରେ ସେଠାରେ ଫସଲ ବଢ଼ିବା ଅସମ୍ଭବ। ତମ୍ବା ଭଳି ଭାରୀ ଧାତୁର ମାତ୍ରା ଅଧିକ ଥିବାରୁ ଚନ୍ଦ୍ର ମାଟି ଫସଲ ପାଇଁ ପ୍ରତିକୂଳ ଅଟେ। ତେଣୁ ବୈଜ୍ଞାନିକମାନେ ଏହି କୃତ୍ରିମ ଚନ୍ଦ୍ର ମାଟିରେ ଜିଆଖତ ମିଶାଇ ଆଳୁ ଲଗାଇଥିଲେ। ୩୦ ପ୍ରତିଶତ ଜିଆଖତ ଓ ୭୦ ପ୍ରତିଶତ ଚନ୍ଦ୍ର ମାଟିର ମିଶ୍ରଣରେ ପୃଥିବୀର ସାଧାରଣ ମାଟି ଭଳି ହିଁ ଉତ୍ତମ ଆଳୁ ଅମଳ ହୋଇପାରିଛି। ଏଥିସହ ଏହି ଜୈବିକ ଖତ ମାଟିରେ ଥିବା ବିଷାକ୍ତ ଧାତୁକୁ ଫସଲ ଭିତରକୁ ଯିବାରୁ ମଧ୍ୟ ରୋକିଥାଏ। ଗବେଷକମାନେ ସୂର୍ଯ୍ୟକିରଣ ଏବଂ କୃତ୍ରିମ ଆଲୋକରେ ଏକ ଗ୍ରୀନ ହାଉସ୍‌ ମଧ୍ୟରେ ଏହି ଆଳୁ ଚାଷ କରିଥିଲେ। ଯେଉଁଠାରେ ଦିନରେ ତାପମାତ୍ରା ୭୨ଡିଗ୍ରୀ ଫାରେନହାଇଟ୍‌(୨୨ ଡିଗ୍ରୀ ସେଲ୍‌ସିୟସ୍‌) ଏବଂ ରାତିରେ ୬୪ ଡିଗ୍ରୀ ଫାରେନହାଇଟ(୧୮ ଡିଗ୍ରୀ ସେଲ୍‌ସିୟସ୍‌) ରଖଯାଇଥିଲା।

Dharitri – Odisha’s No.1 Odia Daily

Share