କେନ୍ଦୁଝର,୨୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ନୂଆଗାଁ ପଞ୍ଚାୟତ କାଦଗଡ଼ ରେଳବାଇ ପୋଲ ନିକଟ କାଦୁଅ ରାସ୍ତାରେ ସୋମବାର ବନାଯୋଡି ସାଇଆନନ୍ଦ ସ୍କୁଲକୁ ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରୁଥିବା ଏକ ସ୍କୁଲ ଭ୍ୟାନ ଫସି ଯାଇଥିଲା।
ଫଳରେ ଘଣ୍ଟା ଘଣ୍ଟା ଧରି ଛାତ୍ରୀଛାତ୍ରୀ ଫଶି ରହି ଶିକ୍ଷାନୁଷ୍ଠାନକୁ ଯାଇ ପାରି ନ ଥିଲେ। ଗାଡି ଫସି ରହିବା ଯୋଗୁ ଅନ୍ୟଗାଡିଗୁଡିକ ଯାଆସ କରି ପାରି ନ ଥିଲା। ଏକ ଟ୍ରାକ୍ଟର ଯୋଗେ ସ୍କୁଲ ଭ୍ୟାନକୁ ଉଦ୍ଧାର କରାଯାଇଥିଲା।
ମିଳିଥିବା ସୂଚନା ମୁତାବକ, ସମ୍ପୃକ୍ତ ରାସ୍ତାରେ ପୋଲ ନିର୍ମାଣ ହୋଇଥିବା ବେଳେ ମୋରମ କିମ୍ବା କଂକ୍ରିଟ କରାଯାଇ ନାହିଁ। କେବଳ ରାସ୍ତାରେ ମାଟି ପକାଯାଇଥିବାରୁ ଅଳ୍ପ ବର୍ଷା ହେଲେ ଏହା କାଦୁଅ ହୋଇଯାଉଛି। ଫଳରେ ଲୋକେ ଯାତାୟତରେ ହଇରାଣ ହେଉଛନ୍ତି। ଏପରିକି ରୋଗୀ ନେବା ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ମଧ୍ୟ ଉକ୍ତ ରାସ୍ତାରେ ନାକେଦମ ହେଉଛି। ଏନେଇ ତୁରନ୍ତ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।


