ମାଟି ରାସ୍ତା ମରାମତି କଲେ ସ୍କୁଲ ପିଲା

କୋରୁକୋଣ୍ଡା, ୧୭।୨(ଡି.ଏନ.ଏ.): ମାଲକାନଗିରି ଜିଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପଟ୍ରେଲ ପଞ୍ଚାୟତର ଏକ ପାଡାଲପୁଟ ଗ୍ରାମରେ ସ୍କୁଲ ଛାତ୍ରୀଛାତ୍ରମାନେ ଗାଁକୁ ଯାଇଥିବା ମାଟିରାସ୍ତା ମରାମତି କରି ପ୍ରଶାସନକୁ ଭିନ୍ନ ବାର୍ତ୍ତା ଦେଇଛନ୍ତି। ମାଲକାନଗିରି-ବାଲିମେଳା ମୁଖ୍ୟ ସଡକରୁ କେନ୍ଦୁଗୁଡାକୁ ଯାଇଥିବା ପୁର୍ତ୍ତ ବିଭାଗ ସଡକରୁ ମାଝିଗୁଡାକୁ ସଂଯୋଗ କରିଛି ଏହି ରାସ୍ତା। ସେଠାରୁ ମାଟିରାସ୍ତା ପଡିଛି ପାଡାଲପୁଟ ଗ୍ରାମକୁ। ଏହି ରାସ୍ତାକୁ ମେଟାଲ କଙ୍କ୍ରିଟ ରୋଡ କିମ୍ବା ପିଚୁ ରୋଡରେ ପରିଣତ କରିବାକୁ ଗ୍ରାମବାସୀ ଅନେକ ଥର ସରପଞ୍ଚ, ବିଡିଓଙ୍କୁ ଜଣାଇଥିଲେ। ପ୍ରଶାସନ ରାସ୍ତା ଉନ୍ନତି କରିବା ତ’ ଦୂରର କଥା ଗତ ୫ ବର୍ଷ ମଧ୍ୟରେ କୌଣସି ମରାମତି କାର୍ଯ୍ୟ ମଧ୍ୟ କରିନାହିଁ। ଏବିଷୟରେ ଗ୍ରାମସଭାରେ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନ ଥିଲା। ଏହା ପରେ ଗ୍ରାମବାସୀ ଶ୍ରମଦାନ କରି ପ୍ରତିବର୍ଷ ରାସ୍ତାର କିଛି କିଛି ଅଂଶ ମରାମତି କରି ଯାତାୟତ କରୁଥିଲେ। ତେବେ ବିଦ୍ୟାଳୟ ଖୋଲିବା ପରେ ଏହି ରାସ୍ତାରେ ଛାତ୍ରୀଛାତ୍ରମାନେ ଯାତାୟାତ କରିବା ସମସ୍ୟା ହୋଇଥିଲା। ଏପରିକି ୨ ଜଣ ବିଦ୍ୟାର୍ଥୀ ସାଇକଲେରେ ଯାଉଥିବା ବେଳେ ରାସ୍ତାରେ ପଡିଗଲେ। ଏହି ସମୟରେ ଅପରପାର୍ଶ୍ୱରୁ ଆସୁଥିବା ଜଣେ ବାଇକ୍‌ ଚାଳକ ମଧ୍ୟ ଭାରସାମ୍ୟ ହରାଇ ପଡିଯାଇଥିଲେ। ଏହାକୁ ଛାତ୍ରୀଛାତ୍ରମାନେ ଗୁରୁତର ସହ ଚିନ୍ତା କରି ମଙ୍ଗଳବାର ସମସ୍ତେ ଏକାଠି ହୋଇ ହାତରେ କୋଡି କୋଦାଳ ଧରି ରାସ୍ତାରେ ହୋଇଥିବା ଖାଲ ଢିପଗୁଡିକ ମାଟି ପକାଇ ସମତଳ କରିଥିଲେ। ଏ ବିଷୟ ଜାଣି ଗ୍ରାମର ୨ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପହଞ୍ଚତ୍ ପିଲାଙ୍କୁ ରାସ୍ତା ମରାମତି କାମରେ ସହଯୋଗ କରିଥିଲେ। ଟିମ୍‌ ସଙ୍ଗଠନ ଏ ସମ୍ପର୍କରେ ଜାଣିବା ପରେ ଜିଲାପାଳ ଓ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ପିଲାମାନେ କରିଥିବା କାର୍ଯ୍ୟର ଫଟୋ ସହ ଜଣାଇଛନ୍ତି।