Categories: ଜାତୀୟ

ସ୍କୁଲରେ ହିନ୍ଦୁ ଛାତ୍ରଙ୍କୁ ପଢିବାକୁ ଦିଆଗଲା ନମାଜ, ଉତ୍ତେଜନା ବଢିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ଅହମ୍ମଦାବାଦ,୪।୧୦: ଅହମ୍ମଦାବାଦର ଏକ ଘରୋଇ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ସମୟରେ ହିନ୍ଦୁ ଛାତ୍ରମାନଙ୍କୁ ନମାଜ ପାଠ କରିବାକୁ କୁହାଯିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ବର୍ତ୍ତମାନ ଗୁଜରାଟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣପନ୍ଥୀ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ମଙ୍ଗଳବାର ଏହି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏ ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରଦର୍ଶନକାରୀମାନେ ଜଣେ ଶିକ୍ଷକଙ୍କୁ ମାଡ ମାରୁଥିବାର ଦେଖାଯାଇଛି।

ଏହି ଘଟଣା ଅହମ୍ମଦାବାଦର ଘାଟଲୋଡିଆ ଅଞ୍ଚଳର କେଲୋରେକ୍ସ ଫ୍ୟୁଚର ସ୍କୁଲରେ ୨୯ସେପ୍ଟେମ୍ବରରେ ଘଟିଥିବା କୁହାଯାଉଛି। ବର୍ତ୍ତମାନ ସ୍କୁଲ ଏହି ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କରିଛି। ସ୍କୁଲ ପ୍ରଶାସନ କହିଛି, ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ବିଭିନ୍ନ ଧର୍ମ ବିଷୟରେ ଅବଗତ କରାଇବା। କୌଣସି ଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରାଯାଇନଥିଲା।

ଏହି ଘଟଣା ସମ୍ପର୍କରେ ଏକ ଭିଡିଓ ବିଦ୍ୟାଳୟର ଫେସବୁକ ପୃଷ୍ଠାରେ ମଧ୍ୟ ପ୍ରକାଶ ପାଇଥିଲା, ପରେ ଏହାକୁ ଡିଲିଟ୍‌ କରାଯାଇଥିଲା, ଯେଉଁଥିରେ ପ୍ରାଇମେରୀ ସେକ୍ସନର ଛାତ୍ରଙ୍କୁ ନାମାଜ ପଢୁଥିବା ଦେଖାଯାଇଥିଲା। ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା, ବଜରଙ୍ଗ ଦଳ ଏବଂ ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନର କାର୍ଯ୍ୟକର୍ତ୍ତାମାନେ ବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Share