ଏଲ୍‌ଆଣ୍ଡଟି କବ୍‌ଜାରେ ବିଦ୍ୟାଳୟ ଖେଳ ପଡ଼ିଆ

ଭୁବନେଶ୍ୱର, ୧୦।୧୨ (ବ୍ୟୁରୋ): ୟୁନିଟ୍‌-୬ ବାଳକ ବିଦ୍ୟାଳୟ ଖେଳପଡ଼ିଆକୁ ଏଲ୍‌.ଆଣ୍ଡ.ଟି କମ୍ପାନୀ ବେଆଇନ୍‌ ଭାବେ ଦଖଲ କରିଛି। ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ବେ ଖେଳ ପଡ଼ିଆରେ ନିର୍ମାଣ କାର୍ଯ୍ୟ ଜାରିରହିଛି। କମ୍ପାନୀ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ସହ ଶୁକ୍ରବାର ୟୁନିଟ୍‌-୬ ବାଳକ ବିଦ୍ୟାଳୟ ଆଲୁମନି ସଂଘ, ଓଡ଼ିଶା ଅଭିଭାବକ ମହାସଂଘ, ବିଦ୍ୟାଳୟ ପରିଚାଳନା କମିଟି ଆଥ୍‌ଲେଟିକ୍‌ ଆସୋଶିଏଶନ ଓ ବିଭିନ୍ନ କ୍ଲବ ସଭ୍ୟମାନେ ବିରୋଧ କରିଥିଲେ। କମ୍ପାନୀ ତୁରନ୍ତ କାର୍ଯ୍ୟ ବନ୍ଦ କରିବା ସହ ଖେଳ ପଡ଼ିଆରୁ ହଟିବା ପାଇଁ ଦାବି କରିଥିଲେ। ଏଥିସହ ରାସ୍ତାରୋକୋ ମଧ୍ୟ କରିଥିଲେ। କମ୍ପାନୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ନେଇ କ୍ୟାପିଟାଲ ଥାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ତେଣୁ କମ୍ପାନୀ ନାମରେ ପୁଣି ଥରେ ହାଇକୋର୍ଟରେ କେଶ କରାଯିବ ବୋଲି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯିବ ବୋଲି ଆଲୁମ୍‌ନି ଟ୍ରଷ୍ଟ ସମ୍ପାଦକ ଚିତ୍ତରଞ୍ଜନ ରାୟମହାପାତ୍ର ଓ ଯମୁନା ପ୍ରଧାନ ସୂଚନା ଦେଇଛନ୍ତି।
କ୍ୟାପିଟାଲ ହସ୍ପିଟାଲରେ ଏଲ୍‌ଆଣ୍ଡଟି ବିଲ୍ଡିଂ ନିର୍ମାଣ କାର୍ଯ୍ୟ କରୁଛି। କମ୍ପାନୀ ବିଦ୍ୟାଳୟ ଖେଳ ପଡ଼ିଆରେ ଅସ୍ଥାୟୀ ଭାବରେ କିଛି ସାମଗ୍ରୀ ରଖିବ ବୋଲି ସରକାରଙ୍କଠାରୁ ଅନୁମତି ଆଣିଥିଲା। ମାତ୍ର ବର୍ତ୍ତମାନ ସେଠାରେ ୪୦ଟି ପାଇଖାନା ନିର୍ମାଣ ସହିତ ଘର ନିର୍ମାଣ କାର୍ଯ୍ୟ ଜାରି ରଖିଛି। କମ୍ପାନୀ ବିରୋଧରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ୩ ମାସ ପୂର୍ବେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ଖେଳ ପଡ଼ିଆରେ ନିର୍ମାଣ କାର୍ଯ୍ୟ କରିପାରିବ ନାହିଁ ବୋଲି ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ମାତ୍ର କମ୍ପାନୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ନିର୍ମାଣ କାର୍ଯ୍ୟ ଜାରି ରଖିଛି।