ଶିକ୍ଷକ ଅଭାବ ନେଇ ବିଦ୍ୟାଳୟରେ ତାଲା

ଭଣ୍ଡାରିପୋଖରୀ, ୨୪।୪ (ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଶନିବାର ଅଭିଭାବକମାନେ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣା ଦେଇଥିଲେ। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬୫ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି। ଆବଶ୍ୟକତା ଅନୁଯାୟୀ ଶିକ୍ଷକ ଯୋଗାଇବା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ବାରମ୍ବାର ଦାବି ସତ୍ତ୍ୱେ ପଦକ୍ଷେପ ନିଆଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଛାତ୍ରୀଛାତ୍ର ଅଭିଭାବକମାନଙ୍କ ସହ ଉପସ୍ଥିତ ରହି ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ଲାଗି ଦାବି କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଓ ସିଆର୍‌ସିସି ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଦୁଇଘଣ୍ଟା ଧରି ଧାରଣା ଚାଲିଥିଲା। ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଜଣେ ଅସ୍ଥାୟୀ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିବା ଘୋଷଣା ପରେ ସେମାନେ ଧାରଣାରୁ ଉଠିଥିଲେ। ପରିଚାଳନା କମିଟି ସଭାପତି ନାରାୟଣ ଖୁଣ୍ଟିଆ, ଅଭିଭାବକ ଅଜୟ ଜେନା, ଶିବ ପଣ୍ଡା, ନିରଞ୍ଜନ ଘଡ଼େଇ, ଧନେଶ୍ୱର ବେହେରା, ଭାନୁପ୍ରିୟା ରଣସିଂ, ପାର୍ବତୀ ଜେନା, ସୁକାନ୍ତ ବେହେରା, ସାବିତ୍ରୀ ରାଉତ, ରେଖା ଜେନା ପ୍ରମୁଖ ଏଥିରେ ସାମିଲ ଥିଲେ।
ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମଞ୍ଜୁବାଳା ନାୟକଙ୍କୁ ପଚାରିବାରୁ ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନ ଥିବା ସ୍ବୀକାର କରିଥିଲେ। ଅଭିଭାବକମାନେ ପୂର୍ବରୁ ଜଣାଇଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ ଅଧିକ ଶିକ୍ଷକ ନିଯୁକ୍ତି ନ ଥିବାରୁ ଅନେକ ବିଦ୍ୟାଳୟରେ ଏଭଳି ସମସ୍ୟା ଲାଗି ରହିଥିବା ସେ କହିଛନ୍ତି।