ସ୍କୁଲ ଫାଟକରେ ତାଲା: ଖରାରେ ଠିଆହୋଇ ୮ ଛାତ୍ରୀଛାତ୍ର ଅସୁସ୍ଥ

ବୌଦ୍ଧ/ପୁରୁଣାକଟକ,୨୨ା୭(ଅଜିତ କୁମାର ବାରିକ/ ସୁକାନ୍ତ ପଟ୍ଟନାୟକ)କୌଣସି କଥାକୁ ନେଇ କେତେଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା ା ଏହାକୁ ନେଇ ଶନିବାର ସକାଳେ ଜଣେ ଅଭିଭାବକ କାହାକୁ କିଛି ନ ଜଣାଇ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ କଲେ ପ୍ରତିବାଦ ା ଫଳରେ ଦୀର୍ଘ ସମୟ ଧରି ବାହାରେ ଛିଡା ହେବାରୁ ୮ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସମ୍ବେଦନଶୀଳ ଘଟଣା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ା ଏହି ଘଟଣା ସାଧାରଣରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି ା
ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ଖେଳଛୁଟି ସମୟରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା ା ପରେ ସମ୍ପୃକ୍ତ ଛାତ୍ରଙ୍କୁ ଦୁଇଜଣ ଛାତ୍ରୀଛାତ୍ର ମିଶି ମାଡ଼ମାରିଥିଲେ ା ଏନେଇ ଛାତ୍ର ଜଣକ ଘରକୁ ଯାଇ ନିଜ ମା’ ବାପାଙ୍କୁ କହିଥିଲେ ା ଶନିବାର ସକାଳୁଆ ବିଦ୍ୟାଳୟ ଥିବାରୁ ମାଡ଼ ଖାଇଥିବା ଛାତ୍ରଙ୍କ ବାପା କାହାକୁ କିଛି ନ ଜଣାଇ ସିଧା ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ ା ଫଳରେ ବିଦ୍ୟାଳୟ ବାହାରେ ଶତାଧିକ ଛାତ୍ରୀଛାତ୍ରଙ୍କ ସହ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକି ରହିଥିଲେ ା ବହୁ ସମୟ ଧରି ବୁଝାଶୁଝା କରିବା ପରେ ଅଭିଭାବକ ଜଣକ ଗେଟ ଖୋଲିବାରୁ ସମସ୍ତେ ସ୍କୁଲ ଭିତରକୁ ପ୍ରବେଶ କରିଥିଲେ ା ମାତ୍ର ଖରା ହେଉଥିବାରୁ ଏହା ଭିତରେ ଷଷ୍ଠ ଶ୍ରେଣୀର ଜଣେ, ଚତୁର୍ଥ ଶ୍ରେଣୀର ୨ଜଣ, ସପ୍ତମର ୩ ଜଣ, ଅଷ୍ଟମ ଶ୍ରେଣୀର ୨ଜଣଙ୍କୁ ମିଶାଇ ମୋଟ ୮ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଥିଲେ ା ସେମାନଙ୍କୁ ସଙ୍ଗେସଙ୍ଗେ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ା ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହେବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା ା ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଚିରଞ୍ଜୀବୀ ଭୋକ୍ତାଙ୍କୁ ପଚାରିବାରେ ପିଲା ପିଲା ଭିତରେ ଶୁକ୍ରବାର ପାଟିତୁଣ୍ଡ ହୋଇ ମାଡଗୋଳ ହୋଇଥିଲା ା ସେଦିନ ପିଲାମାନେ ଶିକ୍ଷକଙ୍କୁ ଏ ବିଷୟରେ କିଛି ଜଣାଇ ନ ଥିଲେ ା ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅଭିଭାବକ କିଛି ନ କହି ଫାଟକରେ ତାଲା ପକାଇ ଦେଇଥିଲେ ା ଖରାରେ ଛିଡାହୋଇ ୮ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଲେ ା ଖବରପାଇ ଏବିଇଓ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଭାବକଙ୍କୁ ବୁଝାଶୁଝା କରିବା ସହିତ ସାମାନ୍ୟ କଥାକୁ ନେଇ ଏଭଳି କରିବା ଠିକ୍‌ ନୁହେଁ ବୋଲି କହି ତାଗିଦ୍‌ କରିଥିବା ସେ କହିଛନ୍ତି ା