ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ

ଭଦ୍ରକ ଅଫିସ/ ବନ୍ତ,୧୭।୩ (ଡି.ଏନ.ଏ):ସ୍କୁଲ ପରିଚାଳନା କମିଟି ସଭାପତିକୁ ଚାପୁଡ଼ା ମାରିଲେ ବିଡିଓ। ସ୍କୁଲରେ ୫-ଟି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ବ୍ଲକ ପ୍ରଶାସନ ଆସିଥିବା ବେଳେ କମିଟି ସଭାପତି ଏହାକୁ ବିରୋଧ କରିବାରୁ ବିଡିଓ ତାଙ୍କ ଉପରକୁ ହାତ ଉଠାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ସେଣ୍ଢତୀରା ପଞ୍ଚାୟତ ଶିଆଳିଆ ନୋଡାଲ ହାଇସ୍କୁଲରେ। ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ବାରିକଙ୍କୁ ବିଡିଓ ପ୍ରଦୀପ ସେଠୀ ହାତ ଉଠାଇ ମାରିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଘଟଣାରୁ ପ୍ରକାଶ ଯେ, ୩ୟ ପର୍ଯ୍ୟାୟରେ ଶିଆଳିଆ ନୋଡାଲ ହାଇସ୍କୁଲ ୫-ଟି ରୂପାନ୍ତରଣରେ ସ୍ଥାନ ପାଇଛି। ହେଲେ ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏହାକୁ ପରିଚାଳନା କମିଟି ସମେତ ଅଭିଭାବକମାନେ ବିରୋଧ କରିଥିଲେ। ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସେମାନେ ଚଳିତମାସ ୬ତାରିଖରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏଥିସହ ସ୍କୁଲରେ ୫-ଟି କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଦରଖାସ୍ତ କରିଥିଲେ। ଏସବୁ ସମସ୍ୟାର ସମାଧାନ ହୋଇ ନ ଥିବାବେଳେ ଗୁରୁବାର ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି ଓ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ ସ୍ଥାନୀୟ ପୋଲିସ ସହାୟତାରେ ୫-ଟି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ବିଦ୍ୟାଳୟକୁ ଆସିଥିଲେ। ସରପଞ୍ଚ ପ୍ରଶାନ୍ତ ଦାସ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲ ପରିଚାଳନା କମିଟି ସଭାପତି ରଞ୍ଜନଙ୍କ ସମେତ ସଭ୍ୟ ଓ ଅଭିଭାବକମାନେ ଏହାକୁ ବିରୋଧ କରିଥିଲେ। ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକଙ୍କୁ ଫେରାଇ ନ ଆଣିଲେ କାର୍ଯ୍ୟ କରାଇଦେବୁ ନାହିଁ ବୋଲି ରଞ୍ଜନ କହିବାରୁ ବିଡିଓ ସେଠୀ ହଠାତ୍‌ ରାଗିଯାଇ ତାଙ୍କ ଉପରକୁ ହାତ ଉଠାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ବନ୍ତ ପୋଲିସ ସ୍ଥିତି ନିୟନ୍ତ୍ରଣ କରିଥିଲା। ଏ ସମ୍ପର୍କରେ ବିଡିଓ ସେଠୀଙ୍କୁ ପଚାରିବାରୁ ସେଠାରେ ଯୁକ୍ତିତର୍କ ହୋଇଥିଲା, କିନ୍ତୁ ହାତ ଉଠାଇବା କଥା ମିଛ ବୋଲି କହିଛନ୍ତି।