ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ୍ ଭଣ୍ଡାରଙ୍ଗୀ ପଞ୍ଚାୟତର ବାରାବଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ଘଟିଥିବା ଜଣାପଡ଼ିଛି। ବାରାବଣ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଗୃହ ଭାବରେ ୩୫ବର୍ଷ ତଳେ ତିଆରି ହୋଇଥିଲା। ତାହା ଅସୁରକ୍ଷିତ ଭାବେ ରହିଥିବା ବେଳେ ସେହି ଗୃହରେ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରାଯାଏ। ସେହିପରି ଶନିବାର ମଧ୍ୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇ ପୂର୍ବାହ୍ନ ୯ଟା ସମୟରେ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦିଆଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ହଠାତ ଗୃହର କାନ୍ଥ ଭାଙ୍ଗି ଯାଇଥିଲା। ଫଳରେ ସମସ୍ତ ଛାତ୍ରୀଛାତ୍ର ସମେତ ଶିକ୍ଷକ ଓ ରାନ୍ଧୁଣିଆ ବଡ଼ ଅଘଟଣାରୁ ବର୍ତ୍ତି ଗଲେ।
ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୫୩ ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ଶନିବାର ୪୦ ଜଣ ଛାତ୍ରୀଛାତ୍ର ବିଦ୍ୟାଳୟରେ ଉପସ୍ଥିତ ଥିଲେ। ସେହି ଅସୁରକ୍ଷିତ ଗୃହ ଭାଙ୍ଗିଲା ବେଳେ କୌଣସି ଛାତ୍ରୀଛାତ୍ର, ଶିକ୍ଷକ କିମ୍ବା ରାନ୍ଧୁଣିଆ ସେଠାରେ ନ ଥିଲେ। ଏହି ବାବଦରେ କାର୍ଯ୍ୟରତ ସହଶିକ୍ଷକ ବସିଆ ନନ୍ଦ କହଁରଙ୍କୁ କହିଛନ୍ତି, ବର୍ଷା ଲାଗି ରହିଛି ସେହି ଗୃହ କେତେବେଳେ ଭାଙ୍ଗି ଯାଇପାରେ ତେଣୁ ମଧ୍ୟାହ୍ନ ଭୋଜନ ପରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ସେହି ଗୃହଠାରୁ ଦୂରରେ ରହିବା ପାଇଁ ସୂଚନା ଦେବା ସହିତ ବାରଣ ମଧ୍ୟ କରିଥିବା ବେଳେ ହଠାତ କାନ୍ଥ ଭାଙ୍ଗି ପଡ଼ିଲା।
ଅଳ୍ପକେ ଆମେ ସମସ୍ତେ ରକ୍ଷା ପାଇଲୁ ବୋଲି କହିଛନ୍ତି। ଏହି ବାବଦରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୁଧିଷ୍ଠିର ପାତ୍ର କହିଛନ୍ତି, କାନ୍ଥ ଭାଙ୍ଗିବା ଖବର ପାଇ ଆମେ ଗ୍ରାମବାସୀ ତୁରନ୍ତ ସେଠାକୁ ପହଞ୍ଚି ଯାଇ ଦେଖିଲୁ। ପିଲାମାନଙ୍କର କୌଣସି ଅସୁବିଧା ହୋଇନାହିଁ। ଭଗବାନ ଆମ ପିଲାମାନଙ୍କୁ ରକ୍ଷା କଲେ ବୋଲି କହିଛନ୍ତି।
ତେବେ ଦୁଖଃ ଓ ପରିତାପର ବିଷୟ ଯେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଉତ ଦେଶୀନାୟକ ଗଣେଶ ପୂଜା ପାଇଁ ଜିନିଷ କିଣାକୁ ନେଇ ଛୁଟିରେ ଥିବା ବେଳେ ତାଙ୍କୁ ପଚାରିବରୁ ସେ ଶନିବାର ସକାଳୁ ସ୍କୁଲ ଗୃହର କାନ୍ଥ ଭାଙ୍ଗିଲା ବୋଲି ଭୁଲ ତଥ୍ୟ ଦେଇଛନ୍ତି। ଯାହାକୁ ନେଇ ପରିଚାଳନା କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ବାବଦରେ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ଜଗନ୍ନାଥ ପ୍ରଧାନ କହିଛନ୍ତି, ମୋ ପାଖରେ ଏମିତି କୌଣସି ଖବର ନାହିଁ କିମ୍ବା ସେହି ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୌଣସି ସୂଚନା ଦେଇନାହାନ୍ତି ।