୬ ଆଦିବାସୀ ଛାତ୍ରଙ୍କୁ ତଡ଼ିଦେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ଯାଜପୁର ଟାଉନ,୪ା୭(ଡି.ଏନ.ଏ.): ଯାଜପୁର ସହର ନିକଟସ୍ଥ ଚିତାଳୋ ପଞ୍ଚାୟତର ଚିତାଳୋଠାରେ ଥିବା ରକ୍ଷାକାଳୀ ସଂସ୍କୃତ ବିଦ୍ୟାଳୟର ୬ଜଣ ଆଦିବାସୀ ଛାତ୍ରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ରବିବାର ଛାତ୍ରାବାସରୁ ତଡ଼ି ଦେଇଛନ୍ତି। ପ୍ରାୟ ୭ଦିନ ହେବ ସମ୍ପୃକ୍ତ ଛାତ୍ରମାନେ ଚର୍ମରୋଗରେ ପୀଡ଼ିତ ହୋଇଛନ୍ତି। ଏକଥା ଜଣାପଡ଼ିବା ପରେ ବିଦ୍ୟାଳୟ ଛାତ୍ରାବାସ ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଏହା ଡିଆଁ ରୋଗ ହୋଇଥିବାରୁ ସେମାନଙ୍କୁ ଛାତ୍ରାବାସ ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଥିଲେ।
ଫଳସ୍ବରୂପ ସକାଳୁ ଏହି ୬ଜଣ ଛାତ୍ର ଛାତ୍ରାବାସ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେବେ ଛାତ୍ରାବାସ ଛାଡ଼ିବା ସମୟରେ ଛାତ୍ରମାନେ ଘରକୁ କିପରି ଯିବେ ତାହାର ବ୍ୟବସ୍ଥା ଛାତ୍ରାବାସ ଦାୟିତ୍ୱରେ ଥିବା ପଦାଧିକାରୀ କରି ନ ଥିଲେ। ନିଜର ପାଠ୍ୟ ପୁସ୍ତକକୁ ବ୍ୟାଗରେ ଭରି ଛାତ୍ରମାନେ ସେମାନଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ଅଞ୍ଚଳ ଅଭିମୁଖେ ବାହାରି ଥିଲେ। ତେବେ ସେମାନେ ଛାତ୍ରାବାସରୁ ଚାଲିଚାଲି ୩ କିଲୋମିଟର ଅତିକ୍ରମ କରି ଯାଜପୁର ମା’ବିରଜାଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚତ୍ କିଭଳି ଘରକୁ ଯିବେ ବୋଲି ସ୍ଥାନୀୟ କେତେଜଣ ଯୁବକଙ୍କୁ ପଚାରି ବୁଝିଥିଲେ। ସ୍ଥାନୀୟ ଯୁବକମାନେ ଏହି ଛାତ୍ରମାନଙ୍କୁ ସକାଳ ଜଳଖିଆ ଦେବା ସହ ସେମାନଙ୍କୁ ସୁରକ୍ଷାର ସହିତ ନିଜ ଗୃହକୁ ଯିବା ପାଇଁ ଆଶ୍ୱାସନା ଦେଇଥିଲେ। ପରେ ଏ ବିଷୟରେ ଗଣମାଧ୍ୟମ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଖବର ଦେଇଥିଲେ। ଜିଲା ଶିଶୁ ୟୁନିଟ୍‌ର କାର୍ଯ୍ୟକର୍ତ୍ତା ମିହିର କୁମାର ଜେନା ଘଟଣାସ୍ଥଳରେ ପହଞ୍ଚତ୍ ସମ୍ପୃକ୍ତ ଛାତ୍ରମାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟରେ ହାଜର କରାଇଥିଲେ। ତେବେ ରବିବାର ଥିବାରୁ ଶିଶୁ ମଙ୍ଗଳ କମିଟିର କୌଣସି ସଦସ୍ୟ କାର୍ଯ୍ୟାଳୟରେ ନ ଥିଲେ। ତେଣୁ ଛାତ୍ରମାନଙ୍କୁ ଯାଜପୁର ସହରସ୍ଥିତ ଉତ୍କଳ ବାଳାଶ୍ରମରେ ରଖାଯାଇଛି। ସୋମବାର ଶିଶୁ ମଙ୍ଗଳ କମିଟିର ଅଧିକାରୀମାନେ ଆସିଲା ପରେ ଛାତ୍ରମାନଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏହି ୬ଜଣଙ୍କ ବୟସ ୧୨ବର୍ଷ ହୋଇଥିବା ବେଳେ ସମସ୍ତେ ୭ମ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।