Categories: ଜାତୀୟ

୧୧ ଦୋଷୀଙ୍କୁ ମୁକ୍ତ ନେଇ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କଲେ ଏସ୍‌ସି…

ନୂଆଦିଲ୍ଲୀ, ୨୫।୮ : ବିଲକିସ ବାନୋ ମାମଲାରେ ଦୋଷୀମାନଙ୍କୁ ମୁକ୍ତ କରିବା ବିରୋଧରେ ହୋଇଥିବା ଆବେଦନ ନେଇ ଗୁରୁବାର ସୁପ୍ରିମକୋର୍ଟ(ଏସ୍‌ସି)ରେ ଶୁଣାଣି ହୋଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିବା ସହିତ ସମସ୍ତ ଦୋଷୀଙ୍କୁ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ।

୨୧ ଜାନୁୟାରୀ ୨୦୦୮ ରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ପକ୍ଷରୁ ଦଣ୍ଡିତ କରାଯାଇଥିଲା।  ପରେ ବମ୍ବେ ହାଇକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। କିନ୍ତୁ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ସେମାନଙ୍କୁ ମୁକ୍ତ କରାଯାଇଥିଲା।

ଦୋଷୀମାନେ ୧୫ ବର୍ଷରୁ ଅଧିକ ସମୟ ଜେଲରେ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟରେ ସମୟ ପୂର୍ବରୁ ମୁକ୍ତି ପାଇଁ ଆବେଦନ କରିଥିଲେ। ୧୯୯୨ ନୀତି ଅନୁଯାୟୀ ଗୁଜରାଟ ସରକାରଙ୍କୁ ଦଣ୍ଡାଦେଶର କ୍ଷମା ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସରକାର ଏକ କମିଟି ଗଠନ କରି ସମସ୍ତ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

୩ ମାର୍ଚ୍ଚ ୨୦୦୨ ଦଙ୍ଗା ସମୟରେ ଦାହୋଦ ଜିଲାର ଲିମଖେଡା ତାଲୁକର ରାନ୍ଧିକପୁର ଗାଁରେ ବିଲକିସ ବାନୋଙ୍କ ପରିବାର ଉପରେ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ। ସେତେବେଳେ ପାଞ୍ଚ ମାସର ଗର୍ଭବତୀ ଥିବା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ତାଙ୍କ ପରିବାରର ୭ଜଣଙ୍କୁ ଦଙ୍ଗାକାରୀଙ୍କ ଦ୍ୱାରା ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଗୁଜରାଟ ସରକାରଙ୍କ ନିଷ୍ପତ୍ତି ନେଇ ବିଲକିସ ବାନୋ ଭାବପ୍ରବଣତା ସହିତ କହଥିଲେ ଯେତେବେଳେ ମୁଁ ଶୁଣିଲି ଯେ ୧୧ ଜଣ ଅପରାଧୀ ଯେଉଁମାନେ ମୋ ପରିବାର ଏବଂ ମୋ ଜୀବନକୁ ନଷ୍ଟ କରିଦେଇଥିଲେ ଏବଂ ମୋର ୩ ବର୍ଷର ଝିଅକୁ ମୋଠାରୁ ଛଡ଼ାଇ ନେଇଥିଲେ। ସେମାନେ ମୁକ୍ତ ହୋଇଛନ୍ତି। ଏହି ଖବର ଶୁଣି ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି।

ମୁଁ କେବଳ ପ୍ରଶ୍ନ କରୁଛି ଯେ, କିଭଳି କୌଣସି ମହିଳାଙ୍କ ପାଇଁ ନ୍ୟାୟ ଶେଷ ହୋଇଯିବ? ମୋର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରେ ବିଶ୍ୱାସ ଥିଲା। ମୁଁ ସିଷ୍ଟମ ଉପରେ ବିଶ୍ୱାସ କରିଥିଲି ଏବଂ ଧୀରେ ଧୀରେ ମୋର ମନରେ ସୃଷ୍ଟି ହୋଇଥିବା ଆଘାତ ସହିତ ବଞ୍ଚିବାକୁ ଶିଖୁଥିଲି। ଏହି ଦୋଷୀମାନଙ୍କ ମୁକ୍ତି ମୋର ଶାନ୍ତି ଛଡ଼ାଇ ନେଇଛି ଏବଂ ନ୍ୟାୟ ପ୍ରତି ମୋର ବିଶ୍ୱାସକୁ ଦୋହଲାଇ ଦେଇଛି। ମୋର ଦୁଃଖ ଏବଂ ମୋର କମି ଯାଉଥିବା ବିଶ୍ୱାସ କେବଳ ମୋ ପାଇଁ ନୁହେଁ ବରଂ କୋର୍ଟରେ ନ୍ୟାୟ ପାଇଁ ଲଢୁଥିବା ପ୍ରତ୍ୟେକ ମହିଳାଙ୍କ ପାଇଁ ବୋଲି ବିଲକିସ ବାନୋ କହିଛନ୍ତି।

Share