Categories: ଜାତୀୟ

ଜଷ୍ଟିସ୍‌ ମୁରଲୀଧରଙ୍କ ମାଡ୍ରାସ ହାଇକୋର୍ଟକୁ ବଦଳି ନେଇ ସୁପାରିସ

ନୂଆଦିଲ୍ଲୀ,୨୯ା୯: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇ ଯିବେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍‌ ତାଙ୍କ ବଦଳି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିବା ନେଇ ଗୁରୁବାର ସୂଚନା ମିଳିଛି।
ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ସଞ୍ଜୟ କିଷାନ କୌଲ ସାମିଲ ଥିବା କଲେଜିୟମ୍‌ରେ ବୁଧବାର ହାଇକୋର୍ଟ ବିଚାରପତିମାନଙ୍କ ବଦଳି ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଜଷ୍ଟିସ୍‌ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ବଦଳି କରାଇବା ନେଇ ନିଷ୍ପତ୍ତି ହୋଇଛି। ଜଷ୍ଟିସ୍‌ ମୁରଲୀଧର ପ୍ରଥମେ ୨୦୦୬ ମେ’ରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୨୦ ମାର୍ଚ୍ଚ ୬ରେ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚାରପତି ରୂପେ ବଦଳି କରାଯାଇଥିଲା। ୨୦୨୧ ଜାନୁୟାରୀ ୪ରେ ସେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ।

Share