ଭୋଜଶାଳା ମାମଲା: ଦରଘା ଜମିରେ ନମାଜ ପାଠ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୩୧।୭: ମଧ୍ୟପ୍ରଦେଶର ଧାର ଜିଲାରେ ଅବସ୍ଥିତ ବିବାଦୀୟ ଭୋଜଶାଳା ପରିସର ସଂଲଗ୍ନ ଦରଘା ପରିସରରେ ମୁସଲମାନ ସମ୍ପ୍ରଦାୟକୁ ଶୁକ୍ରବାର ନାମାଜ ପାଠ କରିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଏବଂ ଜଷ୍ଟିସ୍‌ ଜେ.ଭି ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମଧ୍ୟପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରତି ଶୁକ୍ରବାର ଅପରାହ୍ନ ୧ଟାରୁ ୩ଟା ମଧ୍ୟରେ ମୁସଲମାନମାନେ ଯେପରି ଏହି ସ୍ଥାନରେ ନମାଜ ପାଠ କରିପାରିବେ, ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉ। ନମାଜ ପାଠ ପାଇଁ ଏକ ବିକଳ୍ପ ସ୍ଥାନ ଦାବି କରି ମୁସଲମାନ ପକ୍ଷ ଦାଖଲ କରିଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ମତ ଦେଇଛନ୍ତି ଯେ, ରାଜ୍ୟ ସରକାର ଏବଂ ମୁସଲମାନ ପକ୍ଷ ପରସ୍ପର ସହମତି ଭିତ୍ତିରେ ଅନ୍ୟ ଏକ ସ୍ଥାନ ମଧ୍ୟ ଚିହ୍ନଟ କରିପାରିବେ।
ପ୍ରକାଶ ଯେ, ବିବାଦୀୟ ଭୋଜଶାଳା-କମାଲ ମସଜିଦ୍‌ ପରିସରକୁ ଦେବୀ ସରସ୍ବତୀଙ୍କ ମନ୍ଦିର ବୋଲି ଘୋଷଣା କରି ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟ ତାଙ୍କ ରାୟରେ ସେଠାରେ ମୁସଲମାନମାନଙ୍କୁ ଶୁକ୍ରବାର ନମାଜ ପାଠ କରିବାକୁ ଅନୁମତି ଦେଉଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ)ର ଦଶନ୍ଧି ପୁରୁଣା ଆଦେଶକୁ ମଧ୍ୟ ରଦ୍ଦ କରିଥିଲେ।

 

Dharitri – Odisha’s No.1 Odia Daily