Categories: ବାଣିଜ୍ୟ

୫ ଲକ୍ଷ କୋଟି ଟଙ୍କା ଟପିଲା ଏସ୍‌ବିଆଇ ପିବିଏ

ଭୁବନେଶ୍ୱର,୯।୧୨: ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ ଇଣ୍ଡିଆ (ଏସ୍‌ବିଆଇ)ର ପର୍ସନାଲ୍‌ ବ୍ୟାଙ୍କିଙ୍ଗ୍‌ ଆଡଭାନ୍ସ୍‌ (ପିବିଏ) ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା ଜଣାପଡିଛି। ଏପରିକି ବ୍ୟାଙ୍କ୍‌ ମାତ୍ର ୧୨ ମାସ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କା (ଏକ ଟ୍ରିଲିଅନ୍‌ ଟଙ୍କା)ର ଅଭିବୃଦ୍ଧି ହାସଲ କରିପାରିଛି। ବ୍ୟାଙ୍କର ଏହି ସଫଳତା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ସେହିଭଳି ୨୦୧୫ ଜାନୁୟାରୀରେ ଏସ୍‌ବିଆଇର ପିବିଏ ପ୍ରଥମ ଥର ୧ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା ଏବଂ ୨୦୧୮ ଜାନୁୟାରୀରେ ୨ଲକ୍ଷ କୋଟି ଟଙ୍କା ହୋଇଥିଲା। ଏପରିକି ୨୦୨୦ ଅଗଷ୍ଟରେ ବ୍ୟାଙ୍କର ପିବିଏ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା ଏବଂ ୨୦୨୧ ନଭେମ୍ବରରେ ତାହା ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିଲା। ବିଶେଷ କରି ପିବିଏରେ ବ୍ୟକ୍ତିଗତ ଋଣ, ପେନ୍‌ସନ୍‌ ଋଣ, ଗାଡ଼ି ଋଣ, ଶିକ୍ଷା ଋଣ, ପି-ଗୋଲ୍ଡ ଲୋନ୍‌ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଋଣ ଉପତ୍ାଦ ସାମିଲ ରହିଛି। ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ଏସ୍‌ବିଆଇ ଆଉ ଏକ ସଫଳତାର ମାଇଲଖୁଣ୍ଟ ହାସଲ କରିଥିବା ବିଷୟରେ ମୁଁ ଖୁସିର ସହ ଘୋଷଣା କରୁଛି। ଶିଳ୍ପରେ ଅଭିଳାଷପୂର୍ଣ୍ଣ ମାନଦଣ୍ଡ ଧାର୍ଯ୍ୟ କରିବା ଲାଗି ବ୍ୟାଙ୍କ୍‌ ସର୍ବଦା ଉଦ୍ୟମ କରୁଛି।

Share