Categories: ବାଣିଜ୍ୟ

ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଏସ୍‌ବିଆଇର ଗୁରୁତ୍ୱ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଡେପୁଟି ଏମ୍‌ଡି,ଏଫ୍‌ଆଇ ଆଣ୍ଡ ଏମ୍‌ଏସ୍‌ ଭର୍ଟିକାଲ ଶାଖାକୁ ବମ୍ବେରୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏବଂ ଏଫ୍‌ଆଇ ଆଣ୍ଡ ଏମ୍‌ଏସ୍‌ର ଉପ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ନୌଟିଆଲଙ୍କ ଉପସ୍ଥିତିରେ ଏସ୍‌ବିଆଇର ଅଧ୍ୟକ୍ଷ ରଜନୀଶ କୁମାର ଏହି ନୂତନ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରତି ଧ୍ୟାନଦେବା ଲାଗି ଏଭଳି ଶାଖା ଗଠନ କରାଯାଇଥିଲା ବୋଲି ସୂଚନା ମିଳିଛି। ଗ୍ରାମାଞ୍ଚଳ ଓ ଅର୍ଦ୍ଧ-ସହରାଞ୍ଚଳ ଅଞ୍ଚଳରେ ରହୁଥିବା ଗ୍ରାହକମାନଙ୍କର ବିଭିନ୍ନ ଆବଶ୍ୟକତାକୁ ଏହା ପୂରଣ କରିବ ବୋଲି ବ୍ୟାଙ୍କ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ଏହା ଜରିଆରେ କୃଷିକ୍ଷେତ୍ର ସହ ଅଣୁ ଓ କ୍ଷୁଦ୍ର ସଂସ୍ଥାଗୁଡିକୁ ସହଜରେ ଋଣ ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯିବ। ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୮୦୦୦ ଶାଖା ଚିହ୍ନଟ କରାଯାଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, ଏଭଳି ପଦକ୍ଷେପ ଦ୍ୱାରା ବିଭିନ୍ନ ବ୍ୟାଙ୍କ ସେବା ସବୁବର୍ଗର ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ସରକାରଙ୍କ ବିଭିନ୍ନ ସୁବିଧା ଓ କାର୍ଯ୍ୟକ୍ରମକୁ ମଧ୍ୟ ଏହା ଜରିଆରେ ଲୋକଙ୍କ ନିକଟକୁ ନେବା ପାଇଁ ଏହା ବେଶ୍‌ ସହାୟକ ହେବ।

Share