Categories: ବାଣିଜ୍ୟ

ବୀମାଧାରକଙ୍କ ପାଇଁ ଏସ୍‌ବିଆଇ ଜେନେରାଲର ସହାୟତା

ନୂଆଦିଲ୍ଲୀ,୬।୬: ଗତ ସପ୍ତାହରେ ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଏସ୍‌ବିଆଇ ଜେନେରାଲ ପକ୍ଷରୁ ଆବଶ୍ୟକ ସହଯୋଗ ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ କମ୍ପାନୀର ବୀମା ସହାୟତା ପ୍ରଦାନ କରିବା ଓ ଦାବି ଉପସ୍ଥାପନକାରୀଙ୍କ ବିକଳ୍ପ ବୈଧ ପ୍ରମାଣପତ୍ର ଗ୍ରହଣକରି ପଲିସିଧାରକମାନଙ୍କ ଲାଗି ଦାବି ଫଇସଲା ଓ କାଗଜପତ୍ର ପ୍ରକ୍ରିୟାର ସରଳୀକରଣ କରାଯାଇଛି। ଏପରିକି ଦାବି ଉପସ୍ଥାପନରେ ପଲିସିଧାରକମାନେ ସାମ୍ନା କରୁଥିବା ସମସ୍ୟା ଦୂରକରିବା ଲାଗି କମ୍ପାନୀ ପକ୍ଷରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି ଏହି ଦୁଃଖଦ ରେଳ ଦୁର୍ଘଟଣାରେ ପୀଡ଼ିତ ହୋଇଥିବା ପଲିସିଧାରକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଆବଶ୍ୟକ ଦାବି ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ କମ୍ପାନୀ ପକ୍ଷରୁ ବିଭିନ୍ନ ପଦକ୍ଷେପ ଓ ନୀତି କାର୍ଯ୍ୟକାରୀ କରାଯାଇଛି। ଫଳରେ ପଲିସିଧାରକ ଓ ସେମାନଙ୍କ ନିକଟତମ ପରିବାର ସଦସ୍ୟଙ୍କ ସହ ଏକଜୁଟ ହୋଇ ଠିଆହେବାକୁ କମ୍ପାନୀ ପ୍ରତିଶ୍ରୁତି ଦେଇଥିବା ବେଳେ କମ୍ପାନୀର ସେବା ଯେଭଳି ପ୍ରଭାବିତଙ୍କ ପାଖରେ ପହଞ୍ଚିବା ସୁନିଶ୍ଚିତ ହେବ ସେଥିପାଇଁ କମ୍ପାନୀ ପକ୍ଷରୁ ଡିଜିଟାଲ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ଦାବି ସମ୍ପର୍କିତ ପ୍ରଶ୍ନର ସମୟୋପଯୋଗୀ ପ୍ରତିକ୍ରିୟା ପ୍ରକାଶ କରିବା ଏବଂ ନିରବଚ୍ଛିନ୍ନ ଦାବି ସମାଧାନକୁ ସୁନିଶ୍ଚିତ କରିବାରେ ଆବଶ୍ୟକ ସହାୟତା ପ୍ରଦାନ କରିବା ଲାଗି କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ହେଲ୍‌ପ ଡେସ୍କ ସ୍ଥାପନ କରାଯାଇଛି। ପୀଡ଼ିତଙ୍କ ସମ୍ପର୍କୀୟମାନେ କମ୍ପାନୀ ଅଧିକାରୀଙ୍କ ସହ ଇ-ମେଲ୍‌, ଏସ୍‌ଏମ୍‌ଏସ୍‌ ସମେତ କମ୍ପାନୀର ଦେୟମୁକ୍ତ ନମ୍ବର-୧୮୦୦ ୨୧୦ ୩୩୬୬/୬୩୬୬ରେ ଯୋଗାଯୋଗ ମଧ୍ୟ କରିପାରିବେ।

Share