Categories: ଖେଳ

ସବିତା, ହାର୍ଦ୍ଦିକ ‘ପ୍ଲେୟର ଅଫ୍‌ ଦି ଇୟର’

ନୂଆଦିଲ୍ଲୀ, ୧୮ା୩: ହକି ଇଣ୍ଡିଆର ୫ମ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସବିତା ପୁନିଆ ଓ ହାର୍ଦ୍ଦିକ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗରେ ‘ପ୍ଲେୟର ଅଫ୍‌ ଦି ଇୟର’ ପୁରସ୍କାର ପାଇଛନ୍ତି। ୧୯୬୪ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଗୁରବକ୍ସ ସିଂ ୨୦୨୨ ବର୍ଷ ପାଇଁ ସମ୍ମାନଜନକ ମେଜର ଧ୍ୟାନ ଚାନ୍ଦ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପାଇଛନ୍ତି। ପୁରସ୍କାର ଆକାରରେ ତାଙ୍କୁ ଏକ ଟ୍ରଫି ସହ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ୧୯୬୮ ମେକ୍ସିକୋ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ଯୁଗ୍ମ ଅଧିନାୟକ ଥିବା ଗୁରବକ୍ସ ୧୯୬୬ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। କୋଭିଡ-୧୯ ପାଇଁ ସ୍ଥଗିତ ରହିଥିବା ହକି ଇଣ୍ଡିଆ ପୁରସ୍କାର ମଧ୍ୟ ଏହି ଉତ୍ସବରେ ପ୍ରଦାନ କରାଯାଇଥିଲା। ୧୯୫୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଅମିତ ସିଂ ବକ୍ସି ୨୦୨୧ ବର୍ଷ ପାଇଁ ମେଜର ଧ୍ୟାନ ଚାନ୍ଦ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ହାସଲ କରିଥିଲେ। ପୁରସ୍କାର ଆକାରରେ ବିଜେତା ମାନଙ୍କୁ ୨.୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ମହାସଚିବ ଭୋଳା ନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏଫ୍‌ଆଇଏଚ୍‌ ପୁରସ୍କାର ବିଜେତା ଏବଂ ଅନ୍ତର୍ଜାତୀୟ ହକି ମ୍ୟାଚ ଖେଳିବାରେ ମାଇଲଖୁଣ୍ଟ ସ୍ପର୍ଶ କରିଥିବା ଖେଳାଳିଙ୍କୁ ମଧ୍ୟ ହକି ଇଣ୍ଡିଆ ପକ୍ଷରୁ ଆର୍ଥିକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Share