ଟଙ୍କା ଜମା କରି ଯୋଜନାରୁ ବଞ୍ଚିତ

ବରଗଡ଼ ଅଫିସ୍‌,୭।୨ : ବରଗଡ଼ ଜିଲାରେ ଅଣଜଳସେଚିତ ଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ଥିବା ଗଭୀର ନଳକୂପ ଖନନ ଯୋଜନା ବାଟବଣା ହୋଇଛି। ଚାଷୀମାନେ ଅଗ୍ରୀମ ଦେୟ ସହିତ ଆବଶ୍ୟକ କାଗଜାତ୍‌ ଜମା ଦେବା ପରେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ। ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ହାଲୁପାଲି ଓ ହାତୀସର ଆଦି ଗ୍ରାମର ଚାଷୀମାନେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏଭଳି ଅଭିଯୋଗ କରିଛନ୍ତି। ଏହାସହ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ଗଭୀର ନଳକୂପ ଖନନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି।
ହାତୀସର ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି, ୨୦୨୦ରୁ ସେମାନେ ଗଭୀର ନଳକୂପ ଖନନ ପାଇଁ ଆବେଦନ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଖନନ ପାଇଁ କିଛି ପ୍ରକ୍ରିୟା ସୁଦ୍ଧା ଆରମ୍ଭ ହୋଇନାହିଁ। ସେହିପରି ହାଲୁପାଲି ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି, ସେମାନେ ନିଜ ଅଣଜଳସେଚିତ ଜମିକୁ ପାଣି ମଡ଼ାଇ ଚାଷ କରିବାକୁ ଆଶା ବାନ୍ଧିଥିଲେ। ଏଥିପାଇଁ ଧାରକରଜ କରି ଟଙ୍କା ଆଣି ଉଠାଜଳସେଚନ ବିଭାଗ ପାଖରେ ଅଗ୍ରୀମ ଦେୟ ଜମା କରିଥିଲେ। ମାତ୍ର ୩ ବର୍ଷ ପରେ ସୁଦ୍ଧା ଗଭୀର ନଳକୂପ ଖନନ ହୋଇପାରି ନାହିଁ। ଫଳରେ ଜମିକୁ ପାଣି ମାଡ଼ିବା ତ ଦୂରର କଥା, ଅଗ୍ରୀମ ଜମା ପାଇଁ ଆଣିଥିବା ଟଙ୍କାର ସୁଧ ବଢ଼ିଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି। ହାତୀସର ଗ୍ରାମର ମୋହନ ପ୍ରଧାନ, ନୀଳାଞ୍ଚଳ ପ୍ରଧାନ, ହାଲୁପାଲି ଗ୍ରାମର ଦେବରାଜ ପ୍ରଧାନଙ୍କ ସମେତ ଅନେକ ଚାଷୀ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ ଅଫିସକୁ ଆସିଥିଲେ।