କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ‘କ୍ଷେତ ବଞ୍ଚାଅ ଅଭିଯାନ’ ଆରମ୍ଭ ହୋଇଛି। କେସିଙ୍ଗା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଆନୁକୂଲ୍ୟରେ ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସୋମବାରଠାରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅଭିଯାନର ପ୍ରଥମ ଦିନରେ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ଗ୍ରାମକୁ ଯାଇ ଚାଷୀମାନଙ୍କୁ ମୃତ୍ତିକା ସୁରକ୍ଷା ଏବଂ ପ୍ରାକୃତିକ କୃଷି ପଦ୍ଧତି ସମ୍ପର୍କରେ ସଚେତନ କରାଇଥିଲେ। କେସିଙ୍ଗା ବ୍ଲକ କୃଷି ଅଧିକାରିଣୀ ନିରୂପମା ଗୌଡ଼ିଆଙ୍କ ସମେତ ବହୁ କୃଷି କର୍ମଚାରୀ ଏଥିରେ ସାମିଲ ହୋଇ ମହିଳା ଚାଷୀ ଓ ମହିଳା ଗୋଷ୍ଠୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ।

ଚାଷଜମିର ଉର୍ବରତା ବଜାୟ ରଖିବା, ରାସାୟନିକ ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର ହ୍ରାସ କରିବା ଏବଂ ଜୈବିକ ସାର ଓ ପ୍ରାକୃତିକ କୃଷି ପଦ୍ଧତିକୁ ଆପଣାଇବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି। ଏଥିସହ ଜୈବିକ କୃଷି ସାମଗ୍ରୀ ପ୍ରସ୍ତୁତି ଓ ଏହାର ବ୍ୟବହାର ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି।

ମାଟି, ଜଳ ଓ ପରିବେଶର ସୁରକ୍ଷା ସହ ଦେଶୀ ବିହନ ଏବଂ ପାରମ୍ପରିକ କୃଷି ପଦ୍ଧତିର ସଂରକ୍ଷଣ ଏହି ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ। ମୃତ୍ତିକାର ସ୍ବାସ୍ଥ୍ୟ ଓ ଏହାର ଗୁରୁତ୍ୱ ବିଷୟରେ ଚାଷୀଙ୍କୁ ଅବଗତ କରାଇ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ପ୍ରତି ଆଗ୍ରହ ସୃଷ୍ଟି କରିବାକୁ କୃଷି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।

 

Dharitri – Odisha’s No.1 Odia Daily

 

Share