Categories: ଜାତୀୟ

ଗଣତନ୍ତ୍ରକୁ ରକ୍ଷା କରନ୍ତୁ ସିଜେଆଇ

କୋଲକାତା,୩୧ା୧୦: ଦେଶରେ ସବୁ ଗଣତାନ୍ତ୍ରିକ ଶକ୍ତିକୁ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ କବ୍‌ଜା କରିରଖିଛି। ତେଣୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ସେମାନଙ୍କ କବଳରୁ ଗଣତନ୍ତ୍ରକୁ ରକ୍ଷା କରନ୍ତୁ ବୋଲି ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଛନ୍ତି।

କୋଲକାତାସ୍ଥିତ ନ୍ୟାଶନାଲ ୟୁନିଭର୍ସିଟି ଅଫ୍‌ ଜୁରିଡିକାଲ୍‌ ସାଇନ୍ସେସ୍‌ (ଏନ୍‌ୟୁଜେଏସ୍‌)ର ସମାବର୍ତ୍ତନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୂଳାଧିପତି ସିଜେଆଇ ୟୁ.ୟୁ. ଲଲିତ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ଦେଶର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଆକ୍ରମଣ କରାଯାଉଛି। ଏହି ଧାରା ଜାରି ରହିଲେ ଦେଶରେ ରାଷ୍ଟ୍ରପତି ଶାସନ ଜରୁରୀ ହୋଇପଡ଼ିବ।

ଲୋକଙ୍କୁ ହଇରାଣରୁ ସୁରକ୍ଷା ଦେବା ପାଇଁ ନ୍ୟାୟପାଳିକା ଆଗେଇ ଆସୁ। ଗଣତନ୍ତ୍ର କେଉଁଠି ଅଛି ବୋଲି ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଜେଆଇ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥାର ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ ବୋଲି ମମତା ଅନୁରୋଧ କରିଛନ୍ତି। ମମତା ଆହୁରି କହିଛନ୍ତି, ରାୟ ପ୍ରକାଶ ପାଇବା ପୂର୍ବରୁ ଅନେକ କିଛି ଚାଲିଛି। ଦୁଃଖର ସହ ଏହା କହିବାକୁ ପଡ଼ୁଛି। ମୁଁ ଯଦି ଭୁଲ୍‌ କହୁଛି ତେବେ ଦୟାକରି କ୍ଷମା କରନ୍ତୁ ବୋଲି ସେ କହିନ୍ତି।

Share