Categories: ଖେଳ

ଆର୍ଜେଣ୍ଟିନାକୁ ହରାଇ ବିପର୍ଯ୍ୟୟ ଘଟାଇଲା ସୌଦୀ ଆରବ

ଲୁସେଲ (କାତାର), ୨୩।୧୧: ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ ଦିବସରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ସୌଦୀ ଆରବ। ଲୁସେଲ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨ ଥର ଚାମ୍ପିୟନ ତଥା ଟାଇଟଲ ଫେଭରାଇଟ ଆର୍ଜେଣ୍ଟିନାକୁ ପରାସ୍ତ କରି ବିସ୍ମୟ ସୃଷ୍ଟି କରିଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଲିଓନେଲ ମେସିଙ୍କ ଗୋଲ ବଳରେ ଆର୍ଜେଣ୍ଟିନା ଅଗ୍ରଣୀ ରହିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ୫ ମିନିଟ ମଧ୍ୟରେ ଦୁଇଟି ଗୋଲ କରି ସୌଦୀ ଆରବ ୨-୧ ଗୋଲରେ ବିଜୟୀ ହୋଇ ଏହାର ଫୁଟବଲ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ସଫଳତା ପାଇଛି। ଅନ୍ୟପକ୍ଷରେ ଆର୍ଜେଣ୍ଟିନାର କ୍ରମାଗତ ୩୬ ମ୍ୟାଚ ବିଜୟରେ ବ୍ରେକ୍‌ ଲାଗିଛି।
ଗ୍ରୁପ୍‌ ‘ସି’ର ଏହି ମ୍ୟାଚରେ ମେସିଙ୍କ ମାଧ୍ୟମରେ ଆର୍ଜେଣ୍ଟିନା ଆରମ୍ଭରୁ ଆକ୍ରମଣ ଆରମ୍ଭ କରିଥିଲା। ୭ମ ମିନିଟରେ ସୌଦୀ ଆରବର କନ୍ନୋ ଫାଉଲ କରିଥିଲେ। ଏହା ରେଫରିଙ୍କ ଦୃଷ୍ଟିକୁ ଏଡ଼ାଇ ଯାଇଥିଲେ ହେଁ ଆର୍ଜେଣ୍ଟିନାର ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ ରେଫରି)ର ସହାୟତା ନେଇ ସଫଳ ହୋଇଥିଲା। ସୌଦୀ ଆରବକୁ ଦଣ୍ଡ ସ୍ବରୂପ ଆର୍ଜେଣ୍ଟିନାକୁ ପେନାଲ୍ଟି ଶୁଟ୍‌ଆଉଟ ସୁଯୋଗ ଦିଆଯାଇଥିଲା। ମେସି ଏହାକୁ ଗୋଲରେ ପରିଣତ କରି ୧୦ମ ମିନିଟରେ ଆର୍ଜେଣ୍ଟିନାକୁ ଅଗ୍ରଣୀ କରାଇଥିଲେ। ୨୭ତମ ମିନିଟରେ ଆର୍ଜେଣ୍ଟିନାର ଲୌଟାରୋ ମାର୍ଟିନେଜ ଆଉ ଏକ ଗୋଲ ଦେଇଥିଲେ। ମାତ୍ର ସୌଦୀ ଆରବ ‘ଭାର୍‌’ର ସହାୟତା ନେଇଥିଲା। ଫରଓ୍ବାର୍ଡ ଲାଇନ୍‌ର ଜଣେ ଖେଳାଳି ଅଫ୍‌ସାଇଡ୍‌ରେ ଥିବାରୁ ଗୋଲଟି ନାକଚ ହୋଇ ଯାଇଥିଲା। ଉଭୟ ଦଳର ଡଜନେରୁ ଊର୍ଦ୍ଧ୍ୱ ଅଫ୍‌ସାଇଡ୍‌ ଓ ଫାଉଲ ମଧ୍ୟରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆର୍ଜେଣ୍ଟିନା ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଦ୍ଧ ସମ୍ପୂର୍ଣ୍ଣ ଭାବରେ ସୌଦୀ ଆରବ କବ୍‌ଜାରେ ଥିଲା। ଖେଳ ଆରମ୍ଭର ୩ ମିନିଟ ମଧ୍ୟରେ ଅର୍ଥାତ୍‌ ୪୮ତମ ମିନିଟରେ ସାଲେ ଅଲ୍‌ଶେରୀ ଗୋଲ ପରିଶୋଧ କରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଏହାପରେ ଅତି ଉତ୍ସାହୀ ଖେଳ ପ୍ରଦର୍ଶନ କରିଥିଲା ସୌଦୀ ଆରବ। ୫୩ତମ ମିନିଟରେ ସଲିମ ଅଲ୍‌ଦାଓ୍ବସାରି ଏକ ଗୋଲ ଦେଇ ଦଳକୁ ବହୁମୂଲ୍ୟ ଅଗ୍ରଣୀ କରାଇଥିଲେ। ଗୋଲ ପରିଶୋଧ ପାଇଁ ଆର୍ଜେଣ୍ଟିନା ଜୋରଦାର ପ୍ରୟାସ କରିଥିବାବେଳେ ଏହାର ଖେଳାଳିଙ୍କୁ ରୋକିବା ଉଦ୍ୟମରେ ବହୁ ଫାଉଲ୍‌ କରିଥିଲେ ସୌଦୀ ଖେଳାଳି। ବିପଜ୍ଜନକ ପ୍ରଦର୍ଶନ ପାଇଁ ଏହି ଦଳର ଅବଦୁଲା ଅଲ୍‌ମାଲ୍‌କିଙ୍କୁ ୬୭ତମ ମିନିଟରେ ରେଫରି ୟେଲୋ କାର୍ଡ ଦେଖାଇଥିଲେ। ୭୫ତମ ମିନିଟରେ ଅଲୀ ଅଲ୍‌ବୁଲାହି, ୭୯ତମ ମିନିଟରେ ସଲିମ ଅଲ୍‌ଦାଓ୍ବସାରି, ୮୨ତମ ମିନିଟରେ ସାଉଦ୍‌ ଅବଦୁଲାମିଦ, ୮୮ତମ ମିନିଟରେ ଅଲ୍‌-ଆବେଦ ଓ ୯୦+୨ ମିନିଟରେ ଅଲଓ୍ବାଇସ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁଥ, ୫ମ ଓ ୬ଷ୍ଠ ଖେଳାଳିଭାବେ ୟେଲୋ କାର୍ଡ ପାଇଥିଲେ। ରେଫରିଙ୍କ ଶେଷ ହ୍ବିସିଲ ବାଜିବା କ୍ଷଣି ସୌଦୀ ଖେଳାଳିଙ୍କ ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା। ଅନ୍ୟପକ୍ଷରେ ମେସିଙ୍କ ସମେତ ଆର୍ଜେଣ୍ଟିନାର ଅନ୍ୟ ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ୨୦୦୬ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ସର୍ବକନିଷ୍ଠ ଖେଳାଳି ଭାେବେ ୧୮ ବର୍ଷ ୩୫୭ ଦିନର ହୋଇଥିବାବେଳେ ଗୋଲ ଦେଇଥିଲେ ମେସି। ଏଠାରେ ଦ୍ୱିତୀୟ ବୟୋଜ୍ୟେଷ୍ଠ ଖେଳାଳି ଭାବେ ସେ ୩୫ ବର୍ଷ ୧୫୧ ଦିନରେ ଗୋଲ ଦେଇଛନ୍ତି। ଆର୍ଜେଣ୍ଟିନାର ବୟୋଜ୍ୟେଷ୍ଠ ଗୋଲ ସ୍କୋରର ରେକର୍ଡ ମାର୍ଟିନ ପାଲେର୍ମୋଙ୍କ ନାମରେ ଅଛି।

Share