ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ନେତା ସତ୍ୟେନ୍ଦ୍ର ଜୈନ୍ଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ଜଳ ବୋର୍ଡର STP ଘୋଟାଲା ସହ ଜଡ଼ିତ ମାମଲାରେ କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ମୁଚଲିକାରେ ଜାମିନ୍ ପ୍ରଦାନ କରିଛନ୍ତି ।
ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ଦିଲ୍ଲୀ ଜଳ ବୋର୍ଡର STP (ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ) ପ୍ରକଳ୍ପରେ ଅନିୟମିତତା ଏବଂ ଘୋଟାଲାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ଏହି ମାମଲାରେ ଜାମିନ୍ ଆବେଦନ ଉପରେ ଶୁଣାଣି ସମୟରେ ଜୈନ୍ଙ୍କ ପକ୍ଷରୁ ତାଙ୍କ ଓକିଲ୍ ଏନ୍. ହରିହରନ୍ ବିଭିନ୍ନ ଯୁକ୍ତି ରଖିଥିଲେ। ଶୁଣାଣି ସମୟରେ ସତ୍ୟେନ୍ଦ୍ର ଜୈନ୍ଙ୍କ ଓକିଲ୍ ଏନ୍. ହରିହରନ୍ କୋର୍ଟଙ୍କୁ କହିଥିଲେ ଯେ, ମାମଲା ରୁଜୁ ହେବାର ପ୍ରାୟ ୨୭ ମାସ ପରେ ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରାଯାଇଥିଲା।
ତାଙ୍କ ଦାବି ଅନୁସାରେ, ଏହି ସମୟ ମଧ୍ୟରେ ତଦନ୍ତକାରୀ ଏଜେନ୍ସି କେବଳ ଥରେ ତାଙ୍କୁ ପଚରାଉଚରା ପାଇଁ ଡାକିଥିଲା। ପରେ ଯେତେବେଳେ ତାଙ୍କୁ ପୁଣି ଡକାଯାଇଥିଲା, ସେତେବେଳେ ତାଙ୍କୁ ଗିରଫ କରାଯାଇଥିବା ଓକିଲ୍ କୋର୍ଟଙ୍କ ନଜରକୁ ଆଣିଥିଲେ। ଜାମିନ୍ ପାଇଁ ଯୁକ୍ତି ରଖି ସତ୍ୟେନ୍ଦ୍ର ଜୈନ୍ଙ୍କ ଓକିଲ୍ କହିଥିଲେ ଯେ, ଏହି ମାମଲା ସହ ଜଡ଼ିତ ଅଧିକାଂଶ ସାମଗ୍ରୀ ଦସ୍ତାବିଜ୍ ଆକାରରେ ରହିଛି । ତାଙ୍କ ଅନୁସାରେ, ତଦନ୍ତ ପାଇଁ ଆବଶ୍ୟକ ସମସ୍ତ ପ୍ରାସଙ୍ଗିକ ଦସ୍ତାବିଜ୍ ଓ ସାମଗ୍ରୀ ତଦନ୍ତକାରୀ ଏଜେନ୍ସି ପୂର୍ବରୁ ହିଁ ନିଜ କବ୍ଜାକୁ ନେଇସାରିଛି। ତେଣୁ ଜୈନ୍ଙ୍କୁ ହେପାଜତରେ ରଖି ତଦନ୍ତ ଜାରି ରଖିବାର ଆବଶ୍ୟକତା ନାହିଁ ବୋଲି ତାଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା।
ଅନ୍ୟପଟେ, ସତ୍ୟେନ୍ଦ୍ର ଜୈନ୍ଙ୍କ ଜାମିନ୍ ଆବେଦନକୁ ଆଣ୍ଟି କରପ୍ସନ୍ ବ୍ୟୁରୋ (ACB) ବିରୋଧ କରିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାଉଜ୍ ଆଭେନ୍ୟୁ କୋର୍ଟ ସତ୍ୟେନ୍ଦ୍ର ଜୈନ୍ଙ୍କୁ ୨ ଲକ୍ଷ ଟଙ୍କାର ମୁଚଲିକାରେ ଜାମିନ୍ ପ୍ରଦାନ କରିଛନ୍ତି ।

