ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଚତୁର୍ଥ ସିଡ୍ ଭାରତୀୟ ଯୋଡ଼ି ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ଯୋଡ଼ି କୋରିଆର କିମ୍ ଓନ୍ ହୋ ଓ ସିଓ ସିଅଙ୍ଗ ଜାଇଙ୍କୁ ୨୧-୧୯, ୨୧-୧୮ ସିଧାସଳଖ ଗେମ୍ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି।
ମ୍ୟାଚ ଜିତିବା ଲାଗି ସେମାନେ ୫୨ ମିନିଟ ସମୟ ନେଇଥିଲେ। ଭାରତୀୟ ଯୋଡ଼ି ବର୍ତ୍ତମାନ ତୃତୀୟ ସିଡ୍ ଇଣ୍ଡୋନେସିଆର ଫଜର ଅଲ୍ପିଆନ ଓ ମହମ୍ମଦ ଶୋହିବୁଲ୍ ଫିକ୍ରି ଏବଂ ୫ମ ସିଡ୍ ଚାଇନାର ଲିଆଙ୍ଗ ଓ୍ବି କାଙ୍ଗ ଓ ଚାଙ୍ଗଓ୍ବାଙ୍ଗ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନାଲ ବିଜେତାକୁ ରବିବାର ଫାଇନାଲରେ ଭେଟିବେ।
ଅନ୍ୟପକ୍ଷରେ ମିକ୍ସଡ ଡବଲ୍ସରେ ଧ୍ରୁବ କାବିଲା ଓ ତନିଶା କ୍ରାଷ୍ଟୋ ସେମାନଙ୍କ ସେମିଫାଇନାଲ ମ୍ୟାଚରେ ଜାପାନିଜ ଯୋଡ଼ି ୟୁଚି ଶିମୋଗାମି ଓ ସାୟାକା ହୋବାରାଙ୍କଠାରୁ ୧୬-୨୧, ୨୧-୧୭ ୧୩-୨୧ରେ ହାରିଯାଇଛନ୍ତି।