୭ କ୍ଷୁଦ୍ର କାଳୀମୂର୍ତ୍ତି ନିର୍ମାଣ କଲେ ସତ୍ୟ

ବ୍ରହ୍ମପୁର ଅଫିସ,୧୪ ।୧୧: ଗଞ୍ଜାମ ଜିଲାର ବାଲୁକା ଶିଳ୍ପୀ ସତ୍ୟ ମହାରଣା ନିଆରା କଳାକୃତି କରି ବିଶ୍ୱସ୍ତରରେ ପରିଚିତ ହୋଇଛନ୍ତି। ୨୦୧୭ ମସିହାରେ ସେ ନିର୍ମାଣ କରିଥିବା କ୍ଷୁଦ୍ର କାଳୀମୂର୍ତ୍ତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିଲା। ଏବେ ସେ ଆହୁରି କ୍ଷୁଦ୍ର କାଳୀମୂର୍ତ୍ତି ନିର୍ମାଣ କରି ନିଜର ପୂର୍ବ ରେକର୍ଡ ଭାଙ୍ଗିଛନ୍ତି। ଏଥର ସେ କାଠରେ ୨ଟି, ଚକ୍‌ରେ ୩ଟି, ପଥର ଓ ମାଟିରେ ଗୋଟିଏ ଲେଖାଏ କ୍ଷୁଦ୍ର କାଳୀମୂର୍ତ୍ତି ଗଢ଼ିଛନ୍ତି। ଚକ୍‌ରେ ୫ ମିଲିମିଟର, ୧.୫ ସେଣ୍ଟିମିଟର ଓ ୨ ସେଣ୍ଟିମିଟର ଉଚ୍ଚତାର କାଳୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ କାଠ ମୂର୍ତ୍ତିର ଉଚ୍ଚତା ୧.୮ ସେଣ୍ଟିମିଟର ଓ ୩ ସେଣ୍ଟିମିଟର। ସେହିପରି ପଥର ମୂର୍ତ୍ତିର ଉଚ୍ଚତା ୧ ସେଣ୍ଟିମିଟର ରହିଥିବା ବେଳେ ମାଟି ମୂର୍ତ୍ତିର ଉଚ୍ଚତା ୩ ଇଞ୍ଚ ରହିଛି। ସତ୍ୟ ପୂର୍ବରୁ ଅନେକ ରେକର୍ଡ କରିଛନ୍ତି। ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ସେ ୩୦ରୁ ଅଧିକ ରେକର୍ଡ କରି ଗଞ୍ଜାମ ଜିଲା ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।