Categories: ଖେଳ

ଚାଇନିଜ୍ ତାଇପେ ଯୋଡ଼ିଙ୍କୁ ହରାଇ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍ ଜିତିଲେ ସାତ୍ଵିକ-ଚିରାଗ

ନୂଆଦିଲ୍ଲୀ, ୧୦।୩: ଭାରତର ତାରକା ବ୍ୟାଡମିଣ୍ଟନ୍ ଯୋଡ଼ି ସାତ୍ଵିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ଚାଇନିଜ୍ ତାଇପେ ଯୋଡ଼ି ଲି ଜେ ହୁଇ ଏବଂ ୟାଙ୍ଗ ପୋ ହୁସୁଆନ୍ ଙ୍କୁ ୨୧-୧୧, ୨୧-୧୭ ସେଟରେ ସିଧାସଳଖ ହରାଇ ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ ଓପନ୍ ପୁରୁଷ ଯୁଗଳ ବର୍ଗରେ ଚାମ୍ପିଅନ୍ ହୋଇଛନ୍ତି।

୨୦୨୨ ବିଜେତା ଏବଂ ତୃତୀୟ ଥର ଫାଇନାଲ ଖେଳୁଥିବା ଭାରତୀୟ ଯୋଡି ପ୍ରଥମ ସେଟରେ ୨୧-୧୧ ବ୍ୟବଧାନରେ ଜିତି ପୁରା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ଆରମ୍ଭରୁ ଦୁଇ ପକ୍ଷ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ଏବଂ ପ୍ରଥମ ସେଟରେ ୫-୫ ସ୍କୋର ସମାନ ଥିଲା। କିନ୍ତୁ ଏଠାରୁ ଭାରତୀୟ ଟିମ୍ ବ୍ୟବଧାନ ବଢ଼ାଇ ଚାଲିଥିଲା ଏବଂ ୨୧-୧୧ରେ ପ୍ରଥମ ସେଟ୍କୁ ଜିତିଥିଲା।

ସେହିଭଳି ଦ୍ୱିତୀୟ ସେଟ ଭାରତୀୟ ଯୋଡ଼ିଙ୍କ ପାଇଁ ତୁଳନାତ୍ମକ ଭାବେ କଠିନ ଥିଲା, କାରଣ ମଧ୍ୟବର୍ତ୍ତୀକାଳୀନ ବ୍ରେକ୍ ରେ ସ୍କୋର ୯-୧୧ ରେ ଅଟକି ଥିଲା। ଏହାପରେ ୨୧-୧୭ ବ୍ୟବଧାନରେ ସାତ୍ଵିକ-ଚିରାଗ ଦ୍ୱିତୀୟ ସେଟ୍କୁ ମଧ୍ୟ ଜିତି ନେଇଥିଲେ। ଦିନର ଏହା ସବୁଠାରୁ କମ୍ ସମୟ ଖେଳା ଯାଇଥିବା ଫାଇନାଲ ଥିଲା। ଯାହା ମାତ୍ର ୩୬ ମିନିଟରେ ଶେଷ ହୋଇଥିଲା।

Share