ଅର୍ଦ୍ଧନିର୍ମିତ ଅବସ୍ଥାରେ ସାତୁପାଲି କଲ୍ୟାଣମଣ୍ଡପ

ସମ୍ବଲପୁର,୩୦ା୯(ବ୍ୟୁରୋ): ସମ୍ବଲପୁର ଜିଲା ଧନକଉଡା ବ୍ଲକ ବସନ୍ତପୁର ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି। ଅଧିକ ଅନୁଦାନରେ ପଞ୍ଚାୟତର ବିକାଶ କରାଯିବା ନେଇ ଲକ୍ଷ୍ୟ ରହିଛି। ହେଲେ କେତେକ ପ୍ରକଳ୍ପ ଦେଖିଲେ ଏହା କେବଳ ଘୋଷଣାରେ ସୀମିତ ରହିଥିବା ମନେହେଉଛି।
ପଞ୍ଚାୟତବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସାତୁପାଲିଠାରେ ଏକ କଲ୍ୟାଣମଣ୍ଡପ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ଏହା ଅର୍ଦ୍ଧନିର୍ମିତ ହୋଇ ପଡିିରହିଛି। ବ୍ଲକ ପ୍ରଶାସନ ପକ୍ଷରୁ ଅନୁଦାନ ଅଭାବ ଥିବା କୁହାଯାଉଛି। ପ୍ରାୟ ୨୦ଲକ୍ଷ ଟଙ୍କାର ଟେଣ୍ଡର ହୋଇ କାମ କରାଯାଇଥିବାବେଳେ କିଭଳି ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ ବୋଲି ପ୍ରଶ୍ନ ଉଠିଛି। ଟେଣ୍ଡର ସମୟରେ ବ୍ୟୟ ଅଟକଳ ଓ ଡ୍ରଇଁ କରାଯାଇଥାଏ। ହେଲେ ଏହାକୁ କିଭଳି ପରିବର୍ତ୍ତନ କରାଗଲା ଓ ଅସମ୍ପୂର୍ଣ୍ଣ କରି ଛାଡିଦିଆଗଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ମଣ୍ଡପ ଶେଷ କରାଯାଇ ଲୋକାର୍ପଣ କରାଯିବା ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ମଣ୍ଡପରେ ଶୌଚାଳୟ ନିର୍ମାଣ ପାଇଁ ଏକ ସୂଚନା ଫଳକ ରହିଛି। ହେଲେ ଏହା ନିର୍ମାଣ ହୋଇପାରି ନାହିଁ। କେଉଁ ଯୋଜନାରେ କେତେ ଟଙ୍କା ଉକ୍ତ ମଣ୍ଡପରେ ଖର୍ଚ୍ଚ କରାଯାଇଛି ତାହା ସୂଚନା ବୋର୍ଡ ମାଧ୍ୟରେ ସର୍ବସାଧାରଣ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍‌ନାକୁ ଆସିବ ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଧନକଉଡା ବିଡିଓ ଏସ୍‌. କେ. ପଟେଲ କହିଛନ୍ତି, କାମ ଅସମ୍ପୂର୍ଣ୍ଣ ଥିବା ନେଇ ଅବଗତ ରହିଛି। ହେଲେ କେଉଁ ଅନୁଦାନରୁ କେତେ ପରିମାଣ ଅର୍ଥ ଖର୍ଚ୍ଚ ହୋଇଛି ଠିକ୍‌ ତଥ୍ୟ ନାହିଁ। କିଭଳି ଭାବେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। ସ୍ଥାନୀୟ ଜେଇଙ୍କୁ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ।