Categories: Home Leftଖେଳ

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌ ଓ ରେନ୍‌ ଜିଆଙ୍ଗ ୟୁ’ଙ୍କୁ ପରାସ୍ତ କରି ଚାଇନା ମାଷ୍ଟର୍ସ ସୁପର ୭୫୦ ଟାଇଟଲ ହାସଲ କରିଛନ୍ତି।

ଭାରତୀୟ ଯୋଡ଼ିଙ୍କର ଏହା ଥିଲା ତୃତୀୟ ଫାଇନାଲ। ୨୦୨୩ ଓ ୨୦୨୫ ସଂସ୍କରଣରେ ସେମାନେ ରନର-ଅପ୍‌ ହୋଇଥିଲେ। ଏଠାରେ ଫାଇନାଲରେ ସେମାନେ ବିଶ୍ୱର ପୂର୍ବତନ ୪ ନମ୍ବର ମାନ୍ୟତାପ୍ରାପ୍ତ ଯୋଡ଼ି ହି ଓ ରେନ୍‌ଙ୍କ ବିପକ୍ଷରେ ୧୧-୨୧, ୨୧-୧୩, ୨୧-୧୭ରେ ବିଜୟ ହାସଲ କରିଛନ୍ତି।

ଏହି ମ୍ୟାଚ ୧ ଘଣ୍ଟା ୧୦ ମିନିଟ ଧରି ଚାଲିଥିଲା। ଭାରତୀୟ ଯୋଡ଼ିଙ୍କ ପାଇଁ ସିଜନରେ ଏହା ଥିଲା ଦ୍ୱିତୀୟ ଟାଇଟଲ। ଏହା ପୂର୍ବରୁ ସେମାନେ ସିଙ୍ଗାପୁର ଓପନ ସୁପର ୭୫୦ ଜିତିବା ସହ ଥାଇଲାଣ୍ଡ ଓପନ ସୁପର ୫୦୦ ଫାଇନାଲରେ ପ୍ରବେଶ କରିପାରିଥିଲେ। ସେପ୍ଟେମ୍ବର ୧୯ରୁ ଜାପାନରେ ହେବାକୁଥିବା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବଜାୟ ରଖିବା ଯୋଜନାରେ ଅଛନ୍ତି।

ସୂଚନାଯୋଗ୍ୟ, ସାତ୍ତ୍ୱିକ-ଚିରାଗ ଓ ଚାଇନିଜ ଯୋଡ଼ି ପୂର୍ବରୁ ଦୁଇଥର ପରସ୍ପରକୁ ଭେଟିଛନ୍ତି। ଏହି ଦୁଇଥର ଭାରତୀୟ ଯୋଡ଼ି ବିଜୟ ଲାଭ କରିଛନ୍ତି।

Share