ପ୍ରାପ୍ତିରେ ତୃପ୍ତି

ମଣିଷର ମନ ମସ୍ତିଷ୍କ ଅହରହ କିଛି ନା କିଛି ପ୍ରାପ୍ତି ନିମନ୍ତେ ଥାଏ ତତ୍ପର। ଗୋଟିଏ ପୂରଣ ହେଲେ ସଙ୍ଗେ ସଙ୍ଗେ ମନ ଆଢ଼ୁଆଳରେ ନୂଆ ଗୋଟିଏ ଉଙ୍କିମାରେ। ସବୁକିଛି ଚାହୁଁଥିବା ମୁତାବକ ପୂରଣ ହେଲେ ମୁଖମଣ୍ଡଳରେ ହସର ଫୁଆରା ଖେଳେ। ଦୈନନ୍ଦିନ ଜୀବନରେ ପ୍ରାପ୍ତି ମୂଳତଃ ଆମ କର୍ମ ସହ ଯୋଡ଼ିହୋଇଥାଏ। ବିଦ୍ୟାର୍ଥୀଟିଏ ନିରନ୍ତର ଅଭ୍ୟାସକରି ସଫଳତା ପ୍ରାପ୍ତକରେ। ଭକ୍ତଟିଏ ପୂଜା ଆରାଧନାକରି ଈଶରଙ୍କ ଆଶୀର୍ବାଦ ପ୍ରାପ୍ତକରେ ସେମିତି ଚାକିରି ହେଉ ବା ବେପାରରେ ପରିଶ୍ରମ ପ୍ରତିବଦଳେ ପ୍ରାପ୍ତ ହୋଇଥାଏ ଧନ ଆଉ ଖେଳାଳି ଭାଇମାନେ ବିପକ୍ଷ ଦଳକୁ ହରାଇ ବିଜୟପ୍ରାପ୍ତ କରନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରତ୍ୟେକ ଉଦ୍ୟମ ଓ ପ୍ରୟାସ ପଛରେ ପ୍ରାପ୍ତି ମୂଳ ଲକ୍ଷ୍ୟ । ଆମ ସମାଜରେ ମୁକ୍ତହସ୍ତରେ ଦାନ ଦେଉଥିବା ଲୋକଟି ଦାନୀ ବା ଦାତା ରୂପେ ପରିଚିତ। ଆଉ ଯିଏ ଗ୍ରହଣକରେ ସେ ଉପଭୋକ୍ତା। ଆମକୁ ଯେବେ ଆବଶ୍ୟକତାଠାରୁ ଅଧିକ କିଛି ମିଳେ ତାହା ଭାଗ୍ୟର ଚମତ୍କାର ବୋଲି ଭାବିଥାଉ। ଏଠି ନିଜ ମନକୁ ମାରି କେହି ଅନ୍ୟକୁ ସୁଖ ବାଣ୍ଟେ ତ କେହି ପୁଣି ପ୍ରାପ୍ତକରି ଖୁସିରେ ହୁଏ ବିଭୋର। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ଦେଖିବାକୁ ଗଲେ ଆଜି ନେବା ଲୋକଙ୍କ ସଂଖ୍ୟା ସିଂହଭାଗ ହେଲେ ଦାତାଙ୍କ ସଂଖ୍ୟା ଊଣା ଅଧିକ ମାତ୍ର। ମାଗଣା ପ୍ରାପ୍ତିର ମୋହ ସମାଜକୁ ଖୁବ୍‌ ଗ୍ରାସିଛି। ଯୋଉଠି ମାଗଣା ମିଳିଲା ଲୋକ ସେଇଠି ରୁଣ୍ଡ। ପୁଣି ଠେଲାପେଲା ହୋଇ ଲହୁଲୁହାଣ ପର୍ଯ୍ୟନ୍ତ କଥା ବି ଯାଏ। ମାଗଣା ପ୍ରାପ୍ତି ଆଶାରେ ଥିଲାବାଲା ଗରିବଙ୍କ ଧାଡ଼ିରେ ଛିଡ଼ାହେବାକୁ ସଙ୍କୋଚ କରେନାହିଁ। ବାସ୍ତବରେ ଅନ୍ୟଠାରୁ ପାଇବ ଅପେକ୍ଷା ଦେବାରେ ଥାଏ ନିଆରା ଆନନ୍ଦ। ସେ ତୃପ୍ତିରେ ଭରି ରହିଥାଏ ଆନ୍ତରିକ ଭଲ ପାଇବା ସହ ଶୁଭ କାମନା। ଯିଏ ମୁକ୍ତ ମନରେ ବାଣ୍ଟି ଚାଲେ ତା’ର ଆଦର ପ୍ରଶଂସା କାହିଁରେ କେତେ। ଦାତାଙ୍କ ନିକଟରେ ଗ୍ରହଣ କରିଥିବା ଲୋକଟି ସବୁକାଳେ ରହିଥାଏ କୃତଜ୍ଞ। ନିଃସ୍ବାର୍ଥ ମନରେ ପ୍ରଦାନ କରାଯାଉଥିବା ସାହାଯ୍ୟ ହିଁ ବାସ୍ତବ ଦାନ ।
ଏଥିନିମନ୍ତେ ଧନ ଅପେକ୍ଷା ମନର ଆବଶ୍ୟକତା ଖୁବ୍‌ ଅଧିକ। ଜଣେ ଯେବେ ଦୃଢ଼ ମନରେ ଅନ୍ୟର ଆଶା ଆକାଂକ୍ଷା ପୂରଣ କରିବାକୁ ଆଗେଇ ଆସିବ ଅସମ୍ଭବ ବି ସମ୍ଭବ ହେବ। ବର୍ତ୍ତମାନର ମଣିଷ ଯାହା କିଛି କାର୍ଯ୍ୟକରେ ଏହା ପଛରେ ପ୍ରାପ୍ତି ମୂଳ ଲକ୍ଷ୍ୟ ଥାଏ। ଦାନ ଦେଇ କେହି ପ୍ରଶଂସା ପାଇବାକୁ ବ୍ୟାକୁଳ ତ କେହି ଅନ୍ୟକୁ ସହାୟତା ପ୍ରତିବଦଳେ ମୂଲ୍ୟ ଚାହିଁ ବସେ। ଆଜି ଯିଏ ଆମକୁ ଦେଲା ସେ ହୋଇଗଲା ଆମ ପାଇଁ ଭଲ ମଣିଷ, ଆଉ ଯିଏ ନ ଦେଲା ସେ ଆମ ଦୃଷ୍ଟିରେ ଦୁର୍ବଳ ଆଉ ଅଯୋଗ୍ୟ। ବର୍ତ୍ତମାନ ରକ୍ତସମ୍ପର୍କରେ ବି ଦେବା ନେବାର ଅନୁପ୍ରବେଶ ହୋଇସାରିଛି। ଦିନେ ସମ୍ପର୍କର ମୂଳସୂତ୍ର ଥିଲା ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବା। ସମୟ ବଦଳିବା ପରି ବଦଳିଲା ଏହାର ସୂତ୍ର। ଯାହା ପାଖରେ ଆଜି ଧନ ବେଶି ତା’ର ଲୋକ ସମ୍ପର୍କ ସେତେ ଅଧିକ।
ଶାସ୍ତ୍ର କୁହେ, ଦାନଧର୍ମ କରି ଯିଏ ଅନ୍ୟର ସୁଖଦୁଃଖରେ ସାହା ହୁଏ ଈଶ୍ୱର ତା’ର ସବୁ ମନସ୍କାମନା ପୂର୍ଣ୍ଣକରନ୍ତି। ଖାଲି ଯେ ଟଙ୍କା ପଇସା ବାଣ୍ଟୁଥିବା ଲୋକଟିର ଗୁଣଗାନ ହୁଏନି ବରଂ ସ୍ନେହଶ୍ରଦ୍ଧା ବାଣ୍ଟି ହସମଜା କଥା କହୁଥିବା ଲୋକଟି ସଭିଙ୍କର ପ୍ରିୟ ହୋଇଥାଏ। ହୃଦୟବାନ୍‌ ମାଲିକ ଜଣକ ସ୍ନେହ ଆଦର ବାଣ୍ଟି, ସୁଖଦୁଃଖରେ ସାହା ହୋଇ ନିଜ କର୍ମଚାରୀଙ୍କ ମନ ଜିଣିଥାଏ। ରାଜନୈତିକ ଦଳ ଜନତାଙ୍କ ପାଇଁ ବିଭିନ୍ନ ଲୋଭନୀୟ ସ୍କିମ୍‌ ଜରିଆରେ ମନ ଜିଣନ୍ତି। ନିକଟ ଦିନରେ ବିଭିନ୍ନ ରାଜନୈତିକ ଦଳ ମାଗଣାରେ ପାଣି, ବିଦ୍ୟୁତ୍‌, ରାଶନ ଓ ନଗଦ ରାଶି ପ୍ରଦାନକରି ଶାସନ ଗାଦି ହାତେଇଥିବା ନଜର ରହିଛି। ଯେଉଁ ଦଳ ଯେତେ ଅଧିକ ଲୋଭନୀୟ ସ୍କିମ୍‌ ଆଣିଲା ସେ ହୋଇଗଲା ଜନତାଙ୍କ ପ୍ରିୟ ସରକାର। ଆଜିର ଦେବା ବ୍ୟବସ୍ଥା ପଛରେ ସ୍ବାର୍ଥ ଯାଡ଼ିହୋଇଛି। ଲୋକ ମାଗଣା ପ୍ରାପ୍ତିକରି ପ୍ରିୟ ସରକାରର ଗୁଣଗାନ ତ କରନ୍ତି ହେଲେ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଏହାର କି ପ୍ରକାର କୁପ୍ରଭାବ ପଡୁଛି ତାହା ସାଧାରଣ ଲୋକଟି ମଗଜରେ ନାହଁ। ସ୍ବାର୍ଥ ସାଧନ ଲକ୍ଷ୍ୟରେ ଦିଆଯାଉଥିବା ଦାନ ବାସ୍ତବରେ ଏକ ବ୍ୟବସାୟ ପ୍ରକ୍ରିୟାର ଅଂଶ। ଲୋକ ଦେଖାଣିଆ ବାଣ୍ଟିବା ଆଉ ପାଞ୍ଚଲୋକ ଆଗରେ ଗାଇବା ଏହା କେବଳ ଆତ୍ମଗର୍ବୀର ପରିଚୟ ଦିଏ। ପୁରାଣ ପୃଷ୍ଠାରେ ଯେବେ ଦାନୀଙ୍କ ନାମ ତାଲିକା ପ୍ରସ୍ତୁତ କରାଯାଏ ତେବେ ଅଙ୍ଗ ଦେଶର ନରେଶ କର୍ଣ୍ଣ, ଦୈତ୍ୟରାଜ ବଳୀ, ପୁରୁବଂଶଜ ଉସନୋର୍‌ର ମହାରାଜ ଶିବି ଏବଂ ରାଜା ହରିଶ୍ଚନ୍ଦ୍ରଙ୍କ ନାମ ସର୍ବାଗ୍ରେ ସ୍ଥାନିତ ହେବ। ସେମିତି ମହାଭାରତରେ ବେଲାଳସେନ ଶ୍ରୀକୃଷ୍ଣଙ୍କୁ ଯୁଦ୍ଧ ପୂର୍ବରୁ ମସ୍ତକ ଦାନକରି ମହାନତା ଦେଖାଇଥିଲେ। ଏକଲବ୍ୟ ଗୁରୁ ଦ୍ରୋଣଙ୍କୁ ଦକ୍ଷିଣା ସ୍ବରୂପ ନିଜ ଆଙ୍ଗୁଠି ଛେଦନକରି ଅର୍ପଣକରିଥିଲେ। ଏହି ମହାନ୍‌ ବ୍ୟକ୍ତିମାନେ କେବଳ ଈଶ୍ୱରଙ୍କ ଆଜ୍ଞା ପାଳନ କରିନାହାନ୍ତି ବରଂ ଈଶ୍ୱରଙ୍କୁ ପ୍ରାପ୍ତ କରିଛନ୍ତି। ଈଶ୍ୱର ଲୋକଦେଖାଣିଆ ଦାନ ଦକ୍ଷିଣା କି ପ୍ରଚାରରେ ନୁହେଁ ବରଂ ନିଷ୍ଠାଭକ୍ତିରେ ପ୍ରସନ୍ନରେ ହୋଇଥାନ୍ତି। ଅନ୍ୟର ମନ ଜିଣିବାକୁ ଟଙ୍କା ପଇସା ନୁହେଁ ବରଂ ମନ ବଡ଼ ହେବା ଆବଶ୍ୟକ।
ଦୀନଦୁଃଖୀ ଅସହାୟଙ୍କୁ ଦାନ ଦେବା ଉତ୍ତମ ତଥା ମହତ କାର୍ଯ୍ୟ, କିନ୍ତୁ ତାହା ବିନା ଅହଂକାର ଓ ପ୍ରତିଦାନର ଆଶା ନ ରଖି । ଦେବା ହିଁ ଦେବତାଙ୍କ ଗୁଣ। ଆମ ସନାତନ ଧର୍ମରେ ଦେବତାମାନେ ଆମକୁ ଦେବା ଶିଖାନ୍ତି। ଦୁନିଆକୁ ଖାଲି ହାତରେ ଆସିଛୁ ଆଉ ଦିନେ ଖାଲି ହାତରେ ଲେଉଟି ଯିବା। ଯେତେ ସଞ୍ଚିଲେ ସାଇତିଲେ କି ଲାଭ। ପ୍ରାପ୍ତ କରିବାର ଖୁସି ତୁଳନାରେ ଦେବାରେ ଥାଏ ଭିନ୍ନ ଖୁସି । କେବଳ ଖୁସି ନୁହେଁ ଆଶୀର୍ବାଦ ପ୍ରାପ୍ତ ହୁଏ। ବ୍ୟକ୍ତି ଯେତେ ଅଧିକ ଉଚ୍ଚ ଶିଖରକୁ ଛୁଇଁଲେ ସୁଦ୍ଧା ଶାନ୍ତ ଏବଂ ନମ୍ରତା ପ୍ରଦର୍ଶନକରି ଅନ୍ୟ ପାଇଁ ଜିଇଁବା ଶିଖୁ। ଦାନ ଆପଣଙ୍କୁ ଜୀବନର ଅନେକ ସମସ୍ୟାରୁ ମୁକ୍ତି ଦେଇପାରେ। ବ୍ୟକ୍ତି ଉଭୟ ଶାରୀରିକ ଓ ମାନସିକ ଶାନ୍ତି ପ୍ରାପ୍ତ କରି ସକାରାତ୍ମକ ଦୃଷ୍ଟିରେ ସବୁ କାର୍ଯ୍ୟ କରିବାକୁ ପ୍ରୟାସକରେ। ଦାତାଙ୍କ ଦାନ ପ୍ରକ୍ରିୟା ଜାରିରହୁ, ଯୋଗ୍ୟ ବ୍ୟକ୍ତିମାନେ କେହି ବି ବାଦ୍‌ ନ ପଡ଼ନ୍ତୁ।

ଦେବେନ୍ଦ୍ର କର
ମଙ୍ଗଳାବାଗ, କଟକ
ମୋ: ୯୯୩୭୯୬୩୯୧୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri