ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନକୁ ନୂଆ ଦିଗ ଦେଇଛି କୋମନା ବ୍ଲକର ଜଣେ ସରପଞ୍ଚଙ୍କ ନିଆରା ପଦକ୍ଷେପ। ରଜନା ପଞ୍ଚାୟତ ସରପଞ୍ଚ କ୍ଷୀରସିନ୍ଧୁ ଭୋଇ ଏକ ବିବାହ ଉତ୍ସବରେ ପଞ୍ଚାୟତର ବର୍ତ୍ତନ ବ୍ୟାଙ୍କ ବ୍ୟବହାରକୁ ପ୍ରୋତ୍ସାହନ ଦେଇ ପ୍ରାୟ ଏକ ଟନ ପ୍ଲାଷ୍ଟିକ ଆବର୍ଜନା ରୋକିବାରେ ସଫଳ ହୋଇଛନ୍ତି। ସାଧାରଣତଃ ବିବାହ ଓ ସାମାଜିକ ଉତ୍ସବରେ ପ୍ଲେଟ, ପ୍ଲାଷ୍ଟିକ ଗ୍ଲାସ, କପ, ଚାମଚ, ପାଣି ପାଉଚ ଓ ବୋତଲ ଭଳି ଏକକ ବ୍ୟବହୃତ ସାମଗ୍ରୀର ବ୍ୟାପକ ବ୍ୟବହାର ହୋଇଥାଏ। ଏହା ପରିବେଶ ପ୍ରଦୂଷଣ କରିଥାଏ। ସରପଞ୍ଚ ଭୋଇ ଏହାକୁ ରୋକିବା ପାଇଁ ଆୟୋଜକଙ୍କୁ ବର୍ତ୍ତନ ବ୍ୟାଙ୍କ ବ୍ୟବହାର ପାଇଁ ପ୍ରେରିତ କରିଥିଲେ। ସରପଞ୍ଚଙ୍କ ଏହି ଉଦ୍ୟମ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ପ୍ରେରିତ ହୋଇଥିବା ଦେଖାଯାଇଛି। ସରପଞ୍ଚଙ୍କ ଏହି ପଦକ୍ଷେପକୁ ନୂଆପଡା ଜିଲାପାଳ ପ୍ରଶଂସା କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜିଲାପାଳ କହିଛନ୍ତି, ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଅଭିଯାନର ସଫଳତା ପାଇଁ ଏପରି ସାମୁଦାୟିକ ଭାଗୀଦାରି ଅତ୍ୟନ୍ତ ଆବଶ୍ୟକ। ଅନ୍ୟ ସମସ୍ତ ସରପଞ୍ଚ, ସମାଜସେବୀ ଓ ଗୋଷ୍ଠୀ ନେତାମାନଙ୍କୁ ମଧ୍ୟ ଏହି ପ୍ରୟାସକୁ ଅନୁସରଣ କରିବାକୁ ଆହ୍ବାନ କରିଛନ୍ତି। ସରପଞ୍ଚଙ୍କ ଏହି ନିଆରା ପଦକ୍ଷେପ ବର୍ତ୍ତମାନ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।