ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ ସେ ନିଜ ପଞ୍ଚାୟତର ବିଦ୍ୟାଳୟଗୁଡିକୁ ପରିଦର୍ଶନ କରିଥିଲେ। ସେ ଉକ୍ତ ପଞ୍ଚାୟତ ଟେପାରି ଏବଂ ମକପାଟା ବିଦ୍ୟାଳୟରେ କୌଣସି ସୂଚନା ନ ଦେଇ ପହଞ୍ଚିଥଲେ। ଉଭୟ ବିଦ୍ୟାଳୟର ଭିତ୍ତିଭୂମି ଅଭାବ, ପକ୍କା ରାସ୍ତା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ତାର ତୁରନ୍ତ ସମାଧାନ କରିବାକୁ ସେ କର୍ତ୍ତୁପକ୍ଷଙ୍କୁ ପ୍ରତିଶୃତି ଦେଇଥିଲେ ସେହିପରି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ସେ ଯାଞ୍ଚ କରିବା ସହ ବିଭିନ୍ନ ଶ୍ରେଣୀ କୁ ଯାଇ ଛାତ୍ରୀଛାତ୍ର ଙ୍କୁ ଖଡ଼ି ଧରି ବ୍ଲାକ ବୋର୍ଡରେ ପଢ଼ାଇଥିଲେ। ଏହି ସମୟରେ ପିଲାଙ୍କ କିଛି ବିଷୟରେ ପାଠର ସନ୍ଦେହ ଦୂର କରିବା ସହ ପିଲାଙ୍କୁ ପାଠ ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତର କରିଥିଲେ। ସେହିପରି ଛାତ୍ରୀଛାତ୍ରଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ସରପଞ୍ଚ ଦୀପକ ପଚାରି ବୁଝିଥିଲେ। ସରପଞ୍ଚଙ୍କ ଏଭଳି ବିଦ୍ୟାଳୟ ବୁଲିବା ଘଟଣା ସାଧାରଣ ଲୋକ ଶୁଣିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ସରପଞ୍ଚ ହେବ ତ ଏମିତି।
ସୂଚନାଯୋଗ୍ୟ ଯେ, ଜିଲା ପ୍ରଶାସନ ଜିଲାର ବିଭିନ୍ନ ବିଦ୍ୟାଳୟରେ ଟିଚ କନ୍ଧମାଳ କାର୍ଯ୍ୟକ୍ରମରେ ଜିଲାପାଳ, ଏସପିଙ୍କ ସମେତ ସମସ୍ତ ଜିଲା ଅଧିକାରୀମାନେ ବିଦ୍ୟାଳୟ ଗସ୍ତ କରି ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରୁଥିବାବେଳେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରୟାସ କରୁଥିବା ଜଣାପଡିଛି।