ହିଞ୍ଜିଳିକାଟୁ,୧୮ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଶନିବାର ବିଭିନ୍ନ ପଞ୍ଚାୟତ ଜନପ୍ରତିନିଧି ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ଭାଜପା ଛାଡ଼ି ସେମାନେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି। ବୁରୁପଡ଼ା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ସମେତ ପଞ୍ଚାୟତ ପ୍ରତିନିଧି ଓ ସେମାନଙ୍କ ସମର୍ଥକ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ ଶନିବାର ନବୀନ ନିବାସରେ ଭେଟିବା ପରେ ଶଙ୍ଖ ଭବନରେ ବିଜେଡିରେ ମିଶିଛନ୍ତି। ସମସ୍ତଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ। ବିଜେଡିକୁ ଅଧିକ ସଂଗଠିତ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ତୃଣମୂଳ ସ୍ତରରେ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ଆସ୍ଥା ଓ ଭରସା ଅତୁଟ ରହିଛି ବୋଲି ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ରୂପେ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ତୁଲାଉଥିବା ଦେବାନନ୍ଦ ମହାପାତ୍ର ଏହି ଅବସରରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁ ବ୍ଲକ ବିଜେଡି ସଭାପତି ଦୁର୍ଗା ମାଧବ ମହାନ୍ତି, ଜିଲାପରିଷଦ ସଭ୍ୟ ଏ. ସୁଦର୍ଶନ ପ୍ରମୁଖ ବିଜେଡି ନେତା ଉପସ୍ଥିତ ଥିଲେ।


