
ତେହରାନ,୧୮।୧: ଇରାନର ରାଜଧାନୀ ତେହେରାନରେ ଥିବା ସୁପ୍ରିମକୋର୍ଟ କୋଠାରେ ଜଣେ ଆକ୍ରମଣକାରୀ ଗୁଳି ଚଳାଇବାରୁ ୨ଜଣ ବିଚାରପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଇରାନୀ ଗଣମାଧ୍ୟମ ଅନୁସାରେ, ଗୁଳିଚାଳନା ସମୟରେ ଜଣେ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି।
ନ୍ୟାୟପାଳିକା ଦ୍ୱାରା ଜାରି ଏକ ବିବୃତ୍ତିରେ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟ ଶାଖା ୩୯ର ମୁଖ୍ୟ ଅଲି ରଜନୀ ଏବଂ ଶାଖା ୫୩ର ମୁଖ୍ୟ ମହମ୍ମଦ ମୋଖିସେହ ବୋଲି ଚିହ୍ନଟ କରାଯାଇଛି।
ଇରାନର ସରକାରୀ ପ୍ରେସ ଟିଭି ଅନୁଯାୟୀ, ‘ଶନିବାର ମଧ୍ୟାହ୍ନ ପୂର୍ବରୁ ଜଣେ ବ୍ୟକ୍ତି ବନ୍ଧୁକ ଧରି ଦୁଇ ଜଣ ବରିଷ୍ଠ ବିଚାରପତିଙ୍କ କୋଠରୀରେ ପ୍ରବେଶ କରି ସେମାନଙ୍କୁ ଗୁଳି କରିଥିଲେ,’ ଏହା ନ୍ୟାୟପାଳିକା ମୁଖପାତ୍ର ଅସଗର ଜାହାଙ୍ଗୀର କହିଛନ୍ତି। ସେ କହିଛନ୍ତି ଯେ ଆକ୍ରମଣରେ ବିଚାରପତିଙ୍କ ଜଣେ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି।
‘ବନ୍ଧୁକଧାରୀ ଜଣକ ପଳାଇବା ସମୟରେ ତୁରନ୍ତ ଆତ୍ମହତ୍ୟା କରିଥିଲେ ଏବଂ ଆମେ ବର୍ତ୍ତମାନ ତାଙ୍କର ଉଦ୍ଦେଶ୍ୟ ଉପରେ ମନ୍ତବ୍ୟ ଦେଇପାରିବୁ ନାହିଁ,’ ବୋଲି ମୁଖପାତ୍ର କହିଛନ୍ତି।
ଉଭୟ ବିଚାରପତି ଜାତୀୟ ସୁରକ୍ଷା, ଗୁପ୍ତଚର ଏବଂ ଆତଙ୍କବାଦ ସହିତ ଜଡିତ ମାମଲା ପରିଚାଳନା କରୁଥିଲେ।
ଜାହାଙ୍ଗୀର କହିଛନ୍ତି, ରଜନୀ ଏବଂ ମୋଖିସେହ ସର୍ବଦା ଶତ୍ରୁମାନଙ୍କ ଟାର୍ଗେଟରେ ରହୁଥିଲେ କାରଣ ସେମାନଙ୍କର ଚମତ୍କାର ରେକର୍ଡ ଥିଲା। ଗତ ବର୍ଷକ ମଧ୍ୟରେ, ନ୍ୟାୟପାଳିକା ଗୁପ୍ତଚର ଏବଂ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ଚିହ୍ନଟ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ଏବଂ ଏହା ଶତ୍ରୁମାନଙ୍କ ମଧ୍ୟରେ କ୍ରୋଧ ଏବଂ ଅସନ୍ତୋଷ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।