ଚା ଦୋକାନୀରୁ ହେଲେ ସରପଞ୍ଚ

ଡୁଙ୍ଗୁରିପାଲି,୫ା୩(ଡି.ଏନ୍‌.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକର ପଣ୍ଡକିଟାଲ, ନାଇକେନପାଲି ପଞ୍ଚାୟତରେ ଜଣେ ଚା ଦୋକାନୀ ବିଜୟୀ ହୋଇ ସରପଞ୍ଚ ହୋଇଛନ୍ତି। ସେ ହେଲେ ପଣ୍ଡକିଟାଲ ଗ୍ରାମର ଗୋବିନ୍ଦ ସେଠ। ଲୋକସମ୍ପର୍କ ଯୋଗୁ ସେ ଆଜି ସରପଞ୍ଚ ହୋଇ ପାରିଥିବା ପ୍ରତିକ୍ରିୟାରେ କହିଛନ୍ତି ।

ଚଳିତ ନିର୍ବାଚନରେ ସରପଞ୍ଚ ପଦବୀ ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷଣ ରହିଥିଲା। ଏଥିରେ ଗୋବିନ୍ଦଙ୍କ ସମେତ ୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ନିର୍ବାଚନରେ ଗୋବିନ୍ଦ ୧୩୦୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁରଥ ଚନ୍ଦ୍ର ନାଗ ୬୮୧ ଖଣ୍ଡ ଭୋଟ ପାଇଥିଲେ । ସୁରଥ ଚନ୍ଦ୍ର ନାଗଙ୍କଠାରୁ ଗୋବିନ୍ଦ ୬୨୭ ଖଣ୍ଡ ଭୋଟ ଅଧିକ ପାଇ ସରପଞ୍ଚ ପଦବୀରେ ନିର୍ବାଚିତ ହୋଇଥିଲେ। ଗୋବିନ୍ଦ ଦୀର୍ଘ ବର୍ଷ ଧରି ପଣ୍ଡକିଟାଲ ବସଷ୍ଟାଣ୍ଡରେ ଏକ ଚା ଦୋକାନ କରିଛନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ। ହେଲେ ଏଥର ସରପଞ୍ଚ ପଦ ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷଣ ରହିଥିବାରୁ ସେ ନିର୍ବାଚନ ମଇଦାନ ଲଢିଥିଲେ। ଗୋବିନ୍ଦ ବିଜୟୀ ହେବା ପରେ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ବାହାରିଥିଲେ। ଏ ନେଇ ନବନିର୍ବାଚିତ ସରପଞ୍ଚ ଗୋବିନ୍ଦଙ୍କୁ ପଚାରିବାରୁ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ପଞ୍ଚାୟତର ବିକାଶ ଲାଗି କାମ କରିବି ବୋଲି କହିଛନ୍ତି।