ସରପଞ୍ଚ ପ୍ରାର୍ଥୀଙ୍କ ଲଟେରି ଥୋପ

ଗୋଲାମୁଣ୍ଡା,୧୫।୨(ଡି.ଏନ.ଏ.):କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ସସ୍ମିତା ନାଏକ ଲଟେରି ଲୋଭ ଦେଖାଇ ପ୍ରଚାର ଆରମ୍ଭ କରିଛନ୍ତି। ଘରକୁ ଘର ବୁଲି ଏକ ଲଟେରି କୁପନ ବାଣ୍ଟୁଛନ୍ତି। ସେ ସରପଞ୍ଚ ଭୋଟରେ ଜିତିଲେ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଏହି ଲଟେରି ଉଠାଣ ହେବ ବୋଲି କୁପରେ ଉଲ୍ଲେଖ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତ ସରପଞ୍ଚ ପ୍ରାର୍ଥତ୍ନୀ ସସ୍ମିତା ପ୍ରଚାର ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଉପାୟ ଅବଲମ୍ବନ କରିଛନ୍ତି। ଖୋଲାଖୋଲି ଭାବେ ଲଟେରି ଟିକଟ ବାଣ୍ଟୁଥିଲେ ବି ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ସାଧାରଣରେ ଉଦ୍‌ବେଗ୍‌ ପ୍ରକାଶ ପାଇଛି। ଏହି ଲଟେରିରେ ସମୁଦାୟ ୧୨ଶହ ଉପହାର ଦେବା ପାଇଁ ଉଲ୍ଲେଖ ରହିଛି। ଯଦି ପ୍ରାର୍ଥୀ ଜିତିବେ, ତାହାହେଲେ ଆସନ୍ତା ମାର୍ଚ୍ଚ ୧୩ ତାରିଖ ସାଢେ ୧୦ଟାରେ ଲଟେରି ଉଠାଣ ହେବ। ଏହି ଲଟେରିରେ ଜଣଙ୍କୁ ୧୦ଗ୍ରାମ ସୁନା, ଜଣଙ୍କୁ ଫ୍ରିଜ, ୨ଜଣଙ୍କୁ ୱାଶିଂ ମେଶିନ, ୧୦ଟି ମୋବାଇଲ ଫୋନ୍‌, ୧୦ଟି ଗୋଦରେଜ ଆଲମିରା, ୧୦ଟି ସିଲିଂ ଫ୍ୟାନ, ୫୦ଟି ଗ୍ରାଇଣ୍ଡର, ୫୦ଟି ପ୍ରେସରକୁକର,୧ ହଜାର କଟନଶାଢି ଲଟରି ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେହିପରି କୁହୁରା ପଞ୍ଚାୟତର ୫ଟି ଗ୍ରାମର ଖେଳାଳିଙ୍କ ପାଇଁ ୫୦ଟି ଜର୍ସି, ୫ଟି ଫୁଟବଲ୍‌, ୫ଟି କ୍ରିକେଟ ବ୍ୟାଟ୍‌ ଓ ବଲ୍‌ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆଯିବ ବୋଲି ଟିକଟରେ ଉଲ୍ଲେଖ ରହିଛି।