ରକ୍ତ ଜୁଡୁଜୁଡୁ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

କେନ୍ଦ୍ରାପଡା ଅଫିସ,୨୨।୨: କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକ ସାନଅଢ଼ଙ୍ଗା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁଙ୍କୁ ସୋମବାର ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ପାଟକୁରା ଥାନା ପୋଲିସ ତଦନ୍ତ ଜାରି ରଖିଛନ୍ତି। ପରିବାର ସଦସ୍ୟଙ୍କ ଥାନାରେ ଅଭିଯୋଗ ଅନୁଯାୟୀ ଗତ ସନ୍ଧ୍ୟାରେ ଅମୀୟ ନିର୍ବାଚନ ପରିଚାଳନା ସମ୍ପର୍କରେ ବୁଥ୍‌ ଏଜେଣ୍ଟଙ୍କ ନିକଟକୁ ଯାଇଥିଲେ। ତେବେ ପ୍ରାୟ ରାତି ୧୧ ଟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ବିଳମ୍ବିତ ରାତିରେ ନିକଟସ୍ଥ ଅର୍ଜୁନପୁରର ବ୍ୟାଙ୍କଗଡା ଠାରେ ତାଙ୍କୁ ରକ୍ତ ଜୁଡୁବୁଡୁ ଓ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିବା ପାଟକୁରା ଥାନାଧିକାରୀ ପ୍ରକାଶ କରିଛନ୍ତି।