ସରପଞ୍ଚ ଉପନିର୍ବାଚନକୁ ନେଇ ଉତ୍କଣ୍ଠା ବଢୁଛି

ରସୁଲପୁର,୨୭ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ରାଉତରାପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଖୁବ୍‌ଶୀଘ୍ର ଉପନିର୍ବାଚନ ହେବ। ଉପନିର୍ବାଚନ ନେଇ ଦାବି ହେବାପରେ ଉପଜିଲାପାଳ ନିର୍ବାଚନ କମିଶନଙ୍କୁ ଚିଠି ନଂ-୧୩୮୭ାତା:୧୧ା୧୧ା୨୦ରେ ଶ୍ରୀଘ ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ ସୁପାରିସ କରିଛନ୍ତି। ନିର୍ବାଚନ କମିଶନ ସବୁଜ ସଙ୍କେତ ଦେଲେ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହେବ। ଅନ୍ୟପକ୍ଷରେ ଉପଜିଲାପାଳ ଚିଠି ଲେଖିବା ପରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଲାଣି। ଏପରି କି ନିର୍ବାଚନକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି।
ସୂଚନାଯୋଗ୍ୟ, ରାଉତରାପୁର ସରପଞ୍ଚ ରେଣୁ ସେଠୀ ଆସ୍ଥାଭୋଟରେ ହାରିଥିଲେ। ଫଳରେ ୨୪ା୪ା୨୦ରୁ ନାଏବ ସରପଞ୍ଚ କୈଳାସ ସାହୁଙ୍କୁ ପଞ୍ଚାୟତର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ମାତ୍ର ସେ ଜନସାଧାରଣଙ୍କ ଆସ୍ଥା ହରାଇ ବସିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିବା ସହ ତୁରନ୍ତ ଉପନିର୍ବାଚନ କରିବା ପାଇଁ ଉପଜିଲାପାଳଙ୍କୁ ଅବଗତ କରାଇଥିଲେ। ଚଳିତ ମାସ ୧୯ରେ ପୂର୍ବତନ ସରପଞ୍ଚ ସେଠୀଙ୍କ ଗୋଷ୍ଠୀ ପକ୍ଷରୁ ଭାରପ୍ରାପ୍ତ ସରପଞ୍ଚ ସାହୁଙ୍କ ବିରୋଧରେ ଯାଜପୁର ଜିଲାପାଳ, ଉପଜିଲାପାଳ, ରସୁଲପୁର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଭାରପ୍ରାପ୍ତ ସରପଞ୍ଚ ଜନସାଧାରଣଙ୍କୁ ଦୁର୍ବ୍ୟବହାର କରିବା ସହ ଅସାଧୁ ଉପାୟରେ ଅର୍ଥ ହାତଉଥିବା ସେମାନେ ଅଭିଯୋଗ ଆଣିଥିଲେ। ତେଣୁ ତୁରନ୍ତ ଉପନିର୍ବାଚନ କରାଯିବାକୁ ଦାବି କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ରସୁଲପୁର ବିଡିଓ ଉପଜିଲାପଳଙ୍କୁ ଅବଗତ କରାଇଥିଲେ।