ମାତ୍ର ୧୩ ବର୍ଷରେ ବିବାହ କରିଥିଲେ ସରୋଜ

ମୁମ୍ବାଇ: ଡ୍ୟାନ୍ସ ପାଇଁ ବଲିଉଡ୍‌ରେ ବେଶ୍‌ ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ୍‌ ଶୁକ୍ରବାର ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ସରୋଜ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କଠାରୁ ଆରମ୍ଭ କରି ଅନେକ ନାମକରା ଅଭିନେତ୍ରୀଙ୍କ ସହ କାମ କରିଛନ୍ତି।


ସରୋଜଙ୍କ ବୃତ୍ତିଗତ ଜୀବନୀ ଯେତିକି ସଫଳ ବ୍ୟକ୍ତିଗତ ଜୀବନ ସେତିକି ବିବାଦପୂର୍ଣ୍ଣ। ସରୋଜଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ସେ ୪୧ ବର୍ଷୀୟ ନୃତ୍ୟ ନିର୍ଦ୍ଦେଶକ ସୋହନଲାଲ୍‌ଙ୍କୁ ବିବାହ କରିଥିଲେ। ସୋହନଲାଲ ପୂର୍ବରୁ ବିବାହ କରିଥିଲେ। ତାଙ୍କର ୪ ସନ୍ତାନ ମଧ୍ୟ ଥିଲେ। ଯାହାକି ସରୋଜଙ୍କ ପିତାଙ୍କୁ ଜଣା ନ ଥିଲା। ସୋହନଲାଲ ସରୋଜଙ୍କୁ ପ୍ରାଥମିକ ଡ୍ୟାନ୍ସ ଶିକ୍ଷା ଦେଇଥିଲେ। ସରୋଜ ତାଙ୍କଠାରୁ କଥକ, କଥକଳି, ମଣିପୁରୀ, ଭାରତନାଟ୍ୟମ ଆଦି ନୃତ୍ୟ ଶିଖିଥିଲେ। ମାତ୍ର ୧୪ ବର୍ଷ ବୟସରେ ପୁଅ ରାଜୁ ଖାନଙ୍କୁ ଜନ୍ମ ଦେଇଥିଲେ ସରୋଜ। ଦୁଇବର୍ଷ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ମାତ୍ର ୮ ମାସରେ ସେହି ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। ଏହା ପରେ ସୋହନଲାଲ ତାଙ୍କୁ ପିଲାଙ୍କ ନାମ ଦେବାକୁ ମନା କରିଦେଇଥିଲେ। ଖାଲି ଏତିକି ନୁହେଁ, ତାଙ୍କୁ ଛାଡ଼ପତ୍ର ଦେବାକୁ ମଧ୍ୟ କହିଥିଲେ। ଦୁହେଁ ଅଲଗା ହେବାର କିଛିଦିନ ପରେ ସୋହନନାଲ ସରୋଜଙ୍କୁ ଦ୍ୱିତୀୟଥର ପାଇଁ ତାଙ୍କ ଆସିଷ୍ଟାଣ୍ଟ ରହିବା ପାଇଁ ଅଫର ଦେଇଥିଲେ। ସରୋଜ ମନା କରିବାରୁ ସୋହନଲାଲ ତାଙ୍କ ଉପରେ ସିନେ ଡ୍ୟାନସର୍ସ ଆଶୋସିଏଶନ ସହ ମିଶି କେସ୍‌ କରିଥିଲେ। ଏଥିରେ ସରୋଜ ହାରିଯାଇଥିଲେ। ପରେ ପୁଣି ସୋହନନାଲଙ୍କ ସହ କାମ କରିଥିଲେ। ଏହାପରେ ସରୋଜ ପୁଣି ମା’ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ମାତ୍ର ସୋହନଲାଲ ତାଙ୍କୁ ସବୁଦିନ ପାଇଁ ଛାଡ଼ି ଚେନ୍ନାଇ ଚାଲିଯାଇଥିଲେ।


ଏହା ପରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସର୍ଦ୍ଦାର ରୋଶନ ଖାନ୍‌ଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ରୋଶନ ପୂର୍ବରୁ ବିବାହ କରିଥିଲେ। ତାଙ୍କର ମଧ୍ୟ ଦୁଇ ପିଲା ଥିଲେ। କିନ୍ତୁ ସରୋଜ ତାଙ୍କର ବହୁତ ପସନ୍ଦ ଥିଲେ। ରୋଶନ ସରୋଜଙ୍କୁ ବିବାହ କରିନେଲେ। ଏକ ସାକ୍ଷାତକାରରେ ସରୋଜ କହିଥିଲେ, ରୋଶନଙ୍କ ପ୍ରଥମ ସ୍ତ୍ରୀ ତାଙ୍କର ଭଉଣୀ ପରି। ସରୋଜ ବଲିଉଡ୍‌ରେ ନାଁ କମାଇବା ପାଇଁ ବହୁତ ପରିଶ୍ରମ କରିଛନ୍ତି। ସେ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ଶ୍ରୀଦେବୀଙ୍କ ଗୀତ ହଓ୍ବା ହଓ୍ବାଇର କୋରିଓଗ୍ରାଫର କରିଥିଲେ। ଯାହା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏହା ପରେ ସେ ‘ନାଗିନା’ ଏବଂ ‘ଚାନ୍ଦିନୀ’ରେ ଶ୍ରୀଦେବୀଙ୍କ ସହ କାମ କରିଥିଲେ। ପରେ ମାଧୁରୀଙ୍କ ପାଇଁ ଏକ-ଦୋ-ତିନ୍‌ ଗୀତର କୋରିଓଗ୍ରାଫର କରିଥିଲେ। ସରୋଜ ଜୁହି ଚାଓ୍ବଲା, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ବଲିଉଡ୍‌ର ଆଉ କିଛି ନାମୀଦାମୀ କଳାକାରଙ୍କ ଗୀତରେ କୋରିଓଗ୍ରାଫି କରିଥିଲେ। ଫିଲ୍ମ ‘ଦେବଦାସ’ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା।