Categories: Home Leftଖେଳ

ଟିମ ଇଣ୍ଡିଆରେ ସୁଯୋଗ ନମିଳିବାରୁ ଭାବପ୍ରବଣ ହେଲେ ସରଫରାଜ! ଯନ୍ତ୍ରଣା ବଖାଣି କହିଲେ ଏମିତି…ଶୁଣିଲେ ଆଖିରୁ ଲୁହ ଆସିଯିବ

ନୂଆଦିଲ୍ଲୀ, ୩।୧୧: ରଣଜୀ ଟ୍ରଫିରେ ମୁମ୍ବାଇର ବ୍ୟାଟର ସରଫରାଜ ଖାନଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଚମତ୍କାର ରହିଛି। ଘରୋଇ କ୍ରିକେଟରେ ସେ ଲଗାତାର ରନ କରି ଚାଲିଛନ୍ତି। ଏହା ସତ୍ତ୍ୱେ ତାଙ୍କୁ ଭାରତୀୟ ଟେଷ୍ଟ ଟିମରେ ସ୍ଥାନ ମିଳୁନାହିଁ। ଚୟନକର୍ତ୍ତାମାନେ ତାଙ୍କୁ ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଶ୍ରୀଲଙ୍କା ଗସ୍ତରେ ମଧ୍ୟ ତାଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ମିଳିନଥିଲା। ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ୩ଟି ଏ-ଟିମ ମ୍ୟାଚ ପାଇଁ ମଧ୍ୟ ତାଙ୍କୁ ଚୟନ କରାଯାଇନଥିଲା। ଏବେ ନିଜ ଚୟନକୁ ନେଇ ମୁହଁ ଖୋଲିଛନ୍ତି ସରଫରାଜ। ଏଥିସହ ବାପାଙ୍କ ବ୍ୟତୀତ ତାଙ୍କୁ ଆଉ କାହାର ସମର୍ଥନ ମିଳିନଥିବା କହି ଭାବପ୍ରବଣ ହୋଇପଡ଼ିଛନ୍ତି।

ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖବରଦାତାଙ୍କ ସହ କଥା ହେବା ସମୟରେ ନିଜ ଭବିଷ୍ୟତକୁ ନେଇ ମତ ରଖିଥିଲେ ସରଫରାଜ। ସେ କହିଥିଲେ, “ଶ୍ରୀଲଙ୍କା ଗସ୍ତ ପାଇଁ ମୋତେ ଡାକରା ଆସିବ ବୋଲି ମୋତେ ଆଦୌ ଜଣାନଥିଲା। ବର୍ତ୍ତମାନ ମୋ ଭବିଷ୍ୟତ କ’ଣ ହେବ, ତାହା ମଧ୍ୟ ମୁଁ ବୁଝିପାରୁନାହିଁ। ମୁଁ ଏବେ କେବଳ ଖେଳିବା ଉପରେ ଧ୍ୟାନ ଦେଉଛି। ଯେଉଁଠି ସୁଯୋଗ ମିଳୁଛି, ସେଠାରେ ଖେଳୁଛି। ଯଦି ଭାରତୀୟ ଟିମ ପକ୍ଷରୁ ବଡ଼ ସ୍ତରରେ ଖେଳିବାକୁ ସୁଯୋଗ ମିଳେ, ନିଶ୍ଚିତ ଖେଳିବି। ଯଦି ଏପରି ନହୁଏ, ତେବେ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିବି।”

ବିଦେଶ ଗସ୍ତରେ ଟିମରେ ସ୍ଥାନ ନମିଳିବାକୁ ନେଇ ମଧ୍ୟ ସେ ନିଜ ମତ ରଖିଥିଲେ। ସରଫରାଜ କହିଥିଲେ, “ଭାରତୀୟ ଟିମ ସହ ରହିବା ସମୟରେ ମୁଁ ଶୁଣିବାକୁ ପାଇଥିଲି ଯେ, ଚୟନକର୍ତ୍ତାମାନେ ମୋତେ କେବଳ ଭାରତୀୟ ପିଚ ପାଇଁ ବିଚାର କରୁଛନ୍ତି। ତେବେ ଚୟନକର୍ତ୍ତାମାନେ ଏହି କଥା ସିଧାସଳଖ ମୋତେ କହିନାହାନ୍ତି। ମୁଁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ମଧ୍ୟ ଭଲ ରନ କରିଛି। ଦକ୍ଷିଣ ଆଫ୍ରିକାରେ ଇଣ୍ଡିଆ ଏ ପକ୍ଷରୁ ଖେଳି ୬୩ଟି ବଲରେ ଶତକ ହାସଲ କରିଥିଲି। ଇଂଲଣ୍ଡରେ ମଧ୍ୟ ୧୦୧ ରନ କରିଥିଲି। ଭାରତ ବାହାରେ ମଧ୍ୟ ମୁଁ ରନ କରିଛି। ଏହା ଚୟନକର୍ତ୍ତାଙ୍କ ଦୃଷ୍ଟିକୋଣ ଏବଂ ନିଷ୍ପତ୍ତି ମଧ୍ୟ ସେମାନଙ୍କର। ମୋର ଧ୍ୟାନ କେବଳ କ୍ରିକେଟ ଖେଳିବା ଉପରେ ରହିଛି।”

ନିଜ ସଂଘର୍ଷର କାହାଣୀ କହିବା ବେଳେ ସରଫରାଜ ଭାବପ୍ରବଣ ହୋଇପଡ଼ିଥିଲେ। ସେ କହିଥିଲେ, “ସମସ୍ତେ ଜାଣନ୍ତି ଯେ ମୋ ଜୀବନରେ ମୋତେ ଆଉ କାହାର ସମର୍ଥନ ମିଳିନାହିଁ। କେବଳ ମୋ ବାପା ମୋ ସହ ରହିଛନ୍ତି। ମୁଁ ସବୁବେଳେ କଠିନ ପରିଶ୍ରମ କରିଛି। ମୋ ବାପାଙ୍କ ସ୍ବପ୍ନ ପୂରଣ କରିଛି। ସେହି ସ୍ଥାନରେ ପହଞ୍ଚିବା ପାଇଁ ମୁଁ ଅନେକ ଶତକ ହାସଲ କରିଛି। ଆଜିର ସମୟରେ ଭାରତ ପାଇଁ ଖେଳିବା ଆଦୌ ସହଜ ନୁହେଁ।”

 

Dharitri – Odisha’s No.1 Odia Daily

Share