Categories: ଫୁରସତ

ବୁଣାକାରଙ୍କ ଚମତ୍କାରିତା: ଦିଆସିଲି ଖୋଳରେ ପ୍ୟାକ୍‌ ହେଉଛି ଶାଢ଼ି

ଜଣେ ବୁଣାକାର ଏମିତି କୌଶଳରେ ଶାଢ଼ି ବୁଣିଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। କାରଣ ଶାଢ଼ିଟି ଏକ ଦିଆସିଲି ଖୋଳରେ ବି ପ୍ୟାକ୍‌ ହୋଇପାରୁଛି। ତେଲେଙ୍ଗାନାର ସିର୍କିଲା ସହରର ବାସିନ୍ଦା ନଲା ବିଜୟ ସଫଳତାର ସହିତ ଏପରି ଏକ ଅନନ୍ୟ ଶାଢ଼ି ବୁଣିଛନ୍ତି। ଯାହା ସମ୍ପୂର୍ଣ୍ଣ ରେଶମରୁ ପ୍ରସ୍ତୁତ। ଏହା ଏକ ଦିଆସିଲି ଖୋଳ ଭିତରେ ଆରାମରେ ପ୍ୟାକ୍‌ ହୋଇପାରୁଛି।

ସ୍ଥାନୀୟ କାରିଗରମାନେ ନଲାଙ୍କ କାରିଗରୀ କୌଶଳରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ସେ ଏପରି ଉତ୍କୃଷ୍ଟ କଳା ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇଛନ୍ତି। ଯାହାକୁ ନେଇ ଗର୍ବ କରନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ତେଲେଙ୍ଗାନାର ନଗର ଉନ୍ନୟନ ମନ୍ତ୍ରୀ କେ.ଟି. ରାମା ରାଓଙ୍କ ଅଫିସିଆଲ ଟୁଇଟର ପେଜ୍‌ରେ ପ୍ରଶଂସା କରିଛନ୍ତି। ଯେଉଁଥିରେ ସେ ଜଣେ ଦକ୍ଷ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଏକ ଚମତ୍କାର ସୃଷ୍ଟି ବିଷୟରେ କହିଛନ୍ତି। ମନ୍ତ୍ରୀ ଲେଖିଛନ୍ତି, ନଲା ବିଜୟ ନାମକ ବୁଣାକାର ତେଲେଙ୍ଗାନାର ସିର୍କିଲା ସହରର ବାସିନ୍ଦା। ସେ ସଫଳତାର ସହିତ ଶାଢ଼ିଟି ବୁଣିଛନ୍ତି। ଯାହା ଶୁଦ୍ଧ ରେଶମରୁ ତିଆରି। ଏହା ଏକ ମ୍ୟାଚେସ୍‌ ବକ୍ସରେ ଫିଟ୍‌ ହୋଇପାରୁଛି। ସେ ନିକଟରେ ହାଇଦ୍ରାବାଦରେ ମନ୍ତ୍ରୀ ଇରାବେଲି ଦୟାକର ରାଓ, ସବିତା ଇନ୍ଦ୍ରା ରେଡ୍ଡି, ଭି.ଶ୍ରୀନିବାସ ଗୌଡ଼ ଏବଂ କେ.ଟି ରାମା ରାଓଙ୍କ ଉପସ୍ଥିତିରେ ନିଜର ସୃଷ୍ଟି ପ୍ରଦର୍ଶନ କରିଥିଲେ।

ଜାନୁୟାରୀ ୧୧ରେ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହାକୁ ୭୦୦ ଲୋକ ପସନ୍ଦ କରିଥିବା ବେଳେ ଅନେକ ୟୁଜର କମେଣ୍ଟ ବି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମହାନ ପ୍ରତିଭା, ଅନ୍ୟ ଜଣେ ଲେଖିଛନ୍ତି, ଆଶା କରୁଛି ବିଜୟ ତୁମର ସ୍ବପ୍ନ ସାକାର ହେବ। ସେହିପରି ଆଉ ଜଣେ ଲେଖିଛନ୍ତି, କଠିନ ପରିଶ୍ରମ ସାର୍ଥକ ହୋଇଛି।

Share